କୋଲକାତା: ଭାରତୀୟ ଚଳଚିତ୍ର ଜଗତର ଅନ୍ୟତମ ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ମୃଣାଳ ସେନ୍ଙ୍କର ଆଜି ପରଲୋକ ଘଟିଛି। ମୃଣାଳଙ୍କ ଜନ୍ମ ଫରିଦ୍ପୁର (ଏବେ ବାଂଲାଦେଶରେ)ରେ ମେ’ ୧୪ , ୧୯୨୩ରେ ହୋଇଥିଲା। ସେ କୋଲକାତାରେ ହିଁ ରହୁଥିଲେ ଏବଂ ଆଜି ତାଙ୍କ ବାସଭବନରେ ୯୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନିଜ ଚଳଚିତ୍ର ମାଧ୍ୟମରେ ସମାଜକୁ ଦିଗଦର୍ଶନ ଦେଉଥିବା ଏହି ମହାନ ଚଳଚିତ୍ର ନିର୍ମାତାଙ୍କୁ ୧୮ଟି ଜାତୀୟ ପୁରସ୍କାର ମିଳିଛି। ଶ୍ରେଷ୍ଠ ଫିଚର ଫିଲ୍ମ୍, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ ପାଇଁ ଅଧିକାଂଶ ପୁରସ୍କାର ମିଳିଥିବାବେଳେ ମୃଣାଳଙ୍କୁ ୧୯୮୧ରେ ପଦ୍ମଭୂଷଣ ଏବଂ ୨୦୦୫ରେ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଛି। ମୃଣାଳଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକବ୍ୟକ୍ତ କରିଛନ୍ତି। ଏହି ଖ୍ୟାତନାମା ଚଳଚିତ୍ର ନିର୍ମାତାଙ୍କ ବିୟୋଗ ଭାରତ ଏବଂ ବିଶ୍ବ ସିନେମା ପାଇଁ ବଡ଼ କ୍ଷତି ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ଆମକୁ ଅନେକ ସ୍ମରଣୀୟ ଚଳଚିତ୍ର ଦେଇଥିବା ମୃଣାଳ ସେନ୍ଙ୍କ ନିକଟରେ ଦେଶ କୃତଜ୍ଞ ରହିବ। ତାଙ୍କର ବିୟୋଗରେ ମୁଁ ମର୍ମାହତ ବୋଲି ମୋଦୀ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ମୃଣାଳଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ନୀଳ ଆକାଶେର ନୀଚେ, ଭୁବନ ସୋମ୍, ଏକ୍ ଦିନ ଅଚାନକ୍, ପଦାତିକ ଏବଂ ମୃଗୟା ଭଳି ସଫଳ ଚଳଚିତ୍ର ନିର୍ମାଣ କରିଥିବା ମୃଣାଳ ସମାନ୍ତରାଳ ସିନେମା ଜଗତରେ ଜଣେ ବିରଳ ପ୍ରତିଭା ଥିଲେ।
ପରଲୋକରେ ମୃଣାଳ ସେନ୍
/sambad/media/post_attachments/wp-content/uploads/2018/12/332671-mrina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)