ବିଶ୍ବ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ

ନୂଆଦିଲ୍ଲୀ : ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ତଥା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ବିଶ୍ବ ପାଣିପାଗ ସଂସ୍ଥାର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂସ୍ଥାରେ ଖାଲି ପଡ଼ିଥିବା ଏହି ପଦବି ପାଇଁ ଆଜି ଜେନେଭାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମୁଦାୟ ୧୪୮ରୁ ଡ. ମହାପାତ୍ରଙ୍କୁ ୧୧୩ଟି ଭୋଟ୍‌ ମିଳିଛି। ଏହି ପଦରେ ସେ ୪ ବର୍ଷ କାର୍ଯ୍ୟ କରିବେ।

ବିଶ୍ବ ପାଣିପାଗ ସଂସ୍ଥା କାର୍ଯ୍ୟକାରୀ କମିଟିରେ ଜଣେ ଅଧ୍ୟକ୍ଷ ଓ ତିନିଜଣ ଉପାଧ୍ୟକ୍ଷ ରହିବାର ବ୍ୟବସ୍ଥା ରହିଛି। ଏଥିସହିତ ୭ଟି ରିଜିଓନାଲ ଆସୋସିଏସନ୍‌ର ଅଧ୍ୟକ୍ଷ ଓ ନ୍ୟାସନାଲ ମେଟ୍ରୋଲୋଜିକାଲ୍‌ର ୨୭ ଜଣ ନିର୍ଦ୍ଦେଶକ ରହିଥାନ୍ତି। ବିଶ୍ବ ପାଣିପାଗ ସଂସ୍ଥା ଜାତିସଂଘର ଏକ ସଂସ୍ଥା। ଜଳବାୟୁ ପରିବର୍ତ୍ତନର ତଦାରଖ, ଆଗୁଆ ପାଣିପାଗ ସୂଚନା ତଥା ବିପର୍ଯ୍ୟୟ ପରିଚାଳନାରେ ଏହାର ପ୍ରମୁଖ ଭୂମିକା ରହିଛି।

ସୂଚନାଯୋଗ୍ୟ ଯେ ଏବେ ଡ. ମହାପାତ୍ର ବିଶ୍ବ ପାଣିପାଗ ସଂସ୍ଥାର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ପ୍ରତିନିଧିତ୍ବ କରୁଛନ୍ତି। ପୂର୍ବରୁ ମଧ୍ୟ ସେ ସଂସ୍ଥାର ବିଭିନ୍ନ କମିଟିରେ ସ୍ଥାନ ପାଇଥିଲେ। କିଛି ନିର୍ଦ୍ଦିଷ୍ଟ କମିଟିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତା ରହିଛି। ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଡ. ମହାପାତ୍ରଙ୍କ ୩୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ଭାରତରେ ସାଇକ୍ଲୋନ ମ୍ୟାନ ଭାବେ ମଧ୍ୟ ସେ ପରିଚିତ।

ଆର୍ଜେଣ୍ଟିନା ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରଫେସର ସେଲେଷ୍ଟେ ସାଉଲୋ ବିଶ୍ବ ପାଣିପାଗ ସଂଗଠନର ମହାସଚିବ ନିର୍ବାଚିତ ହୋଇଛନ୍ତି। ପ୍ରଥମ ମହିଳା ଭାବେ ସେ ଏହି ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରିବେ। ସଂଯୁକ୍ତ ଆରବ ଏମିରେଟ୍ସ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡ ଅବଦୁଲ୍ଲା ଅଲ୍ ମାଣ୍ଡୋସ୍ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଜେନେଭାଠାରେ ଏହି ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ରହିଛି।

ସମ୍ବନ୍ଧିତ ଖବର