ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ରୂପେ ଆଜି ଦାୟିତ୍ବ ନେଇଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ତଥା ଓଡ଼ିଆ ବୈଜ୍ଞାନିକ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ଏହି ସମ୍ମାନଜନକ ପଦବିରେ ଅବସ୍ଥାପିତ ହେବାରେ ଡକ୍ଟର ମହାପାତ୍ର ହେଉଛନ୍ତି ପ୍ରଥମ ଓଡ଼ିଆ। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦବିରେ ଦାୟିତ୍ବ ତୁଲାଇବେ। ନିଯୁକ୍ତି ପୂର୍ବରୁ ସେ ଆଇଏମ୍‌ଡିର ଏଜିଡି ତଥା ସାଇକ୍ଲୋନ୍ ଵାର୍ଣ୍ଣିଂ ବିଭାଗର ମୁଖ୍ୟ ଥିଲେ। ଜୁନ୍ ୪ରେ ଆଇଏମ୍‌ଡିର ମହାନିର୍ଦ୍ଦେଶକ ରୂପେ ତାଙ୍କର ନିଯୁକ୍ତିକୁ କ୍ୟାବିନେଟ ଅନୁମୋଦନ କରିଥିଲା। ଦାୟିତ୍ବ ନେବା ପରେ ଡ. ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ୨୦୨୧ ଅଗଷ୍ଟ ସୁଦ୍ଧା ସାରା ଦେଶକୁ ରାଡ଼ାର ମଧ୍ୟକୁ ଆଣିବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ କରାଯିବ। ଓଡ଼ିଶାର ସମ୍ବଲପୁର ଓ ବାଲେଶ୍ବରରେ ଡପ୍‌ଲର ରାଡ଼ାର ଲଗାଯିବା ବୋଲି ସେ କହିଥିଲେ। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ପାଣିପାଗ ବିଜ୍ଞାନ କେନ୍ଦ୍ର ପାଇଁ ଯେଉଁ ଭିଜନ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି ତଦନୁଯାୟୀ ବିଭିନ୍ନ ଯୋଜନାକୁ ତ୍ବରାନ୍ବିତ କରାଯିବ। ପାଣିପାଗ ସଂକ୍ରାନ୍ତ ସୂଚନା ପ୍ରତ୍ୟେକ ବ୍ଲକ୍‌ରେ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ଅବଧିରେ କିଭଳି ପହଞ୍ଚିପାରିବ ସେନେଇ ବିଭାଗ ପକ୍ଷରୁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି ଏବଂ ତାହା କାର୍ଯ୍ୟକାରୀ କରାଯିବ। ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ ଭାବେ ପରିଚିତ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶାର ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ବରରେ ଜନ୍ମ ହୋଇଥିବା‌ ମୃତ୍ୟୁଞ୍ଜୟ ଦେଶବିଦେଶର ଅନେକ ସଂସ୍ଥା ଦ୍ବାରା ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ପୁରସ୍କୃତ ହୋଇଛନ୍ତି । ତାଙ୍କର ଅନେକ ଗବେଷଣାମୂଳକ ଲେଖା ଦେଶ ବିଦେଶର ପ୍ରମୁଖ ଗବେଷଣା ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି।