୨୦ ଲକ୍ଷ ଟଙ୍କାରେ ପାଇଥିବା ୧. ୨୫ କୋଟି ଟଙ୍କାର ଫ୍ଲାଟ୍‌ ଦଖଲ ପାଇଁ ସୁପ୍ରିମ୍‌ କୋର୍ଟ ଗଲେ ଧୋନୀ

ନୂଆଦିଲ୍ଲୀ: ମାତ୍ର ୨୦ ଲକ୍ଷ ଟଙ୍କା ବିନିମୟରେ ନଇଡ଼ାରେ ୫, ୮୦୦ ବର୍ଗ ଫୁଟ୍‌ର ପେଣ୍ଟ୍‌ହାଉସ୍‌ର (ଫ୍ଲାଟ୍‌ର ସବା ଉପରେ ଥିବା ଘର) ହିତାଧିକାରୀ ବୋଲି ସୁପ୍ରିମ୍‌ କୋର୍ଟଙ୍କ ନିଯୁକ୍ତ ଫୋରେନ୍‌ସିକ୍‌ ଅଡିଟର୍‌ମାନେ ଚିହ୍ନଟ କରିବା ପରେ ଆବଣ୍ଟନ ବାତିଲ ହୋଇଯିବା ଆଶଙ୍କାରେ ଓ ଦଖଲ ପାଇବା ଆଶାରେ କ୍ରିକେଟ୍‌ ତାରକା ଏମ୍‌ ଏସ୍‌ ଧୋନି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ଫ୍ଲାଟ୍‌ଟି ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଆମ୍ରପାାଲି ଗ୍ରୁପ୍‌ ନିର୍ମାଣ କରିଛି।

ନଇଡ଼ାର ସେକ୍ଟର୍‌ ୪୫ରେ ଫ୍ୟାମିଲି ଳାଉଞ୍ଜ୍‌ ଥିବା ସେ ପାଞ୍ଚ ଶଯ୍ୟାବିଶିଷ୍ଟ ପେଣ୍ଟ୍‌ ହାଉସ୍‌କୁ ଧୋନୀ ୨୦୦୯ରେ ମାତ୍ର ୨୦ ଲକ୍ଷ ଟଙ୍କାରେ ଖରଦ କରିଥିଲେ। କିନ୍ତୁ ସେତେବେଳେ ଏହାର ବଜାର ମୂଲ୍ୟ ଥିଲା ୧. ୨୫ କୋଟି ଟଙ୍କାରୁ ଅଧିକ। ଆମ୍ରପାଲି ଠାରୁ ଶାଗମାଛ ମୂଲ୍ୟରେ ଫ୍ଲାଟ୍‌ କିଣିଥିବା ୬୫୫ ଜଣ କ୍ରେତାଙ୍କ ମଧ୍ୟରେ ଧୋନୀ ଥିବାର ଦେଖି ଅଡିଟର୍‌ ରବି ଭାଟିଆ ଏବଂ ପବନ କୁମାର ଅଗ୍ରଓ୍ଵାଲ୍‌ ଆର୍ଥିକ ଦେଣନେଣ ସଂକ୍ରାନ୍ତରେ ତାଙ୍କୁ କୈଫିୟତ ମାଗିଥିଲେ।

ଧୋନୀ ଅଡିଟର୍‌ମାନଙ୍କୁ କହିଲେ କି, ଆମ୍ରପାଲି ଗ୍ରୁପ୍‌ ଠାରୁ ସେ କିଂବା ତାଙ୍କ ପରିବାରର କୌଣସି ସଦସ୍ୟ କିଛି ଅର୍ଥ ପାଇ ନାହାନ୍ତି। ଯେ ଯୁକ୍ତି ବାଢ଼ିଛନ୍ତି କି, ତାଙ୍କ ଉପରେ ଆମ୍ରପାଲିର ବାକି ପଡ଼ିଥିବା କୋଟି କୋଟି ଟଙ୍କା ଏବଂ ସେ ଗ୍ରୁପ୍‌ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ହୋଇଥିବା ଦୃଷ୍ଟିରେ ଫ୍ଲାଟ୍‌ର ମୂଲ୍ୟ ନିର୍ଦ୍ଧାରଣ କରାଯିବା କଥା।

ଅଡିଟର୍‌ମାନେ ଅଦାଲତଙ୍କୁ ରିପୋର୍ଟ ଦେଇଥିଲେ କି, କେତେ ଜଣଙ୍କୁ ଫ୍ଲାଟ୍‌ ସବୁ ବର୍ଗଫୁଟ୍‌ ପିଛା ୧ ଟଙ୍କା ମୂଲ୍ୟରେ ବିକ୍ରୟ କରାଯାଇଥିବା ବେଳେ ଆମ୍ରପାଲି ଗ୍ରୁପ୍‌ ତା’ର ବିଭିନ୍ନ ହାଉସିଙ୍ଗ୍‌ ପ୍ରୋଜେକ୍ଟରେ ହିସାବବହିର୍ଭୁତ ଅର୍ଥ ବିନିଯୋଗ କରିଛି। କାଗଜପତ୍ରରେ ନିର୍ମାତା ଶାଗମାଛ ମୂଲ୍ୟରେ ବିକ୍ରୟ କରିଥିଲେ ବି କେତ୍ରଙ୍କ ଠାରୁ ନଗଦ ୧୫୯ କୋଟି କଳାଟଙ୍କା ଗ୍ରହଣ କରିଛି।

ଏ ଭଳି ସ୍ୱଳ୍ପ ମୂଲ୍ୟରେ ବିକ୍ରୟ ହୋଇଥିବା ଫ୍ଲାଟ୍‌ଗୁଡ଼ିକର ଆବଣ୍ଟନ ବାତିଲ କରାଯାଇ ସେଗୁଡ଼ିକୁ ନିଲାମ କରାଯିବ ଏବଂ ସେଥିରେ ଆମ୍ରପାଲିର ଅନ୍ୟାନ୍ୟ ହାଉସିଙ୍ଗ୍‌ ପ୍ରୋଜେକ୍ଟ ପୂର୍ଣ୍ଣାଙ୍ଗ କରାଯିବ ବୋଲି ସୁପ୍ରିମ୍‌ କୋର୍ଟ ସୂଚନା ଦେବା ପରେ ସୁରକ୍ଷା ପାଇଁ ଧୋନୀ ସୁପ୍ରିମ୍‌ କୋର୍ଟରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର