ନୂଆଦିଲ୍ଲୀ: ପୂର୍ବତନ ଟିମ୍ ଇଣ୍ଡିଆ ଷ୍ଟାର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ ପୁଣି ଥରେ ନିଜ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ସେ ଅତୀତରେ ଅନେକ ବିବାଦୀୟ ବୟାନ ଦେଇସାରିଥିବା ବେଳେ ଏବେ ପୁଣି ଥରେ ସେ କ୍ରିକେଟରଙ୍କୁ ଟାର୍ଗେଟ କରିଛନ୍ତି। ଯୋଗରାଜ କହିଛନ୍ତି ଯେ, ସଚିନ ତେନ୍ଦୁଲକର କ୍ରିକେଟରେ ତାଙ୍କ ପୁଅ ଯୁବରାଜ ସିଂହଙ୍କ ପ୍ରକୃତ ବନ୍ଧୁ ଥିଲେ, ଯେତେବେଳେ ଯୁବରାଜ ସିଂହଙ୍କ ଯୋଗୁଁ ଅନ୍ୟ ଖେଳାଳିମାନେ ଦଳରେ ନିଜ ସ୍ଥାନ ହରାଇବା ନେଇ ଭୟ କରୁଥିଲେ।
ଏକ ସାକ୍ଷାତକାରରେ ଯୋଗରାଜ କହିଛନ୍ତି, 'ଯେପରି ମୁଁ ଆପଣଙ୍କୁ କହିଥିଲି, ସଫଳତା, ଟଙ୍କା ଏବଂ ପ୍ରସିଦ୍ଧିର ଯାତ୍ରାରେ ଆପଣଙ୍କର କେହି ବନ୍ଧୁ ନଥାନ୍ତି। ଏଠାରେ ଲୋକେ ସର୍ବଦା ପଛପଟେ ଛୁରୀ ଭୁଶିଥାନ୍ତି। କିଛି ଏପରି ଲୋକ ଥାନ୍ତି, ଯେଉଁମାନେ ଆପଣଙ୍କୁ ତଳେ ଠେଲି ଦେବାକୁ ଚାହାଁନ୍ତି। ଯୁବରାଜଙ୍କ କ୍ଷେତ୍ରରେ, ସାଥୀ ଖେଳାଳିମାନେ ତାଙ୍କୁ ଭୟ କରୁଥିଲେ। ସେମାନେ ଭୟ କରୁଥିଲେ ଯେ ଯୁବରାଜ ସେମାନଙ୍କ ସ୍ଥାନ ନେବେ, କାରଣ ମୋ ପୁଅ ଜଣେ ମହାନ ଖେଳାଳି ଥିଲା। ଏମଏସ ଧୋନିଙ୍କଠାରୁ ଆରମ୍ଭ କରି ଅନ୍ୟ ପ୍ରତ୍ୟେକ ଖେଳାଳିଙ୍କ ପର୍ଯ୍ୟନ୍ତ, ସମସ୍ତେ ଭାବୁଥିଲେ ଯେ 'ଓଃ, ସେ ମୋ ଚେୟାର ଛଡ଼ାଇ ନେବେ। ସମସ୍ତଙ୍କ ମନରେ ସେ ଡର ଥିଲା।'
ତେବେ, ଏହା ପ୍ରଥମ ଥର ନୁହେଁ ଯେତେବେଳେ ଯୋଗରାଜ, ଯୁବରାଜଙ୍କ ପୂର୍ବତନ ସାଥୀ ଖେଳାଳିଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି। ଯୋଗରାଜ ପୂର୍ବରୁ ଅନେକ ଥର କହିଛନ୍ତି ଯେ, ତାଙ୍କ ପୁଅକୁ ଅବସର ନେବାକୁ ବାଧ୍ୟ କରାଯାଇଥିଲା। ଦେଖିବାକୁ ଗଲେ ଯୁବରାଜଙ୍କ କ୍ୟାରିଅର ବହୁତ ପ୍ରଭାବଶାଳୀ ରହିଛି। ଯୁବରାଜ ୨୦୦୦ ରୁ ୨୦୧୭ ପର୍ଯ୍ୟନ୍ତ ଭାରତ ପାଇଁ ୪୦୨ ମ୍ୟାଚ୍ ଖେଳିଥିଲେ। ଏବଂ ଏହି ମ୍ୟାଚ୍ ଗୁଡ଼ିକରେ ସେ ୩୫.୦୫ ହାରରେ ୧୭ ଶତକ ଏବଂ ୭୧ ଅର୍ଦ୍ଧଶତକ ସହିତ ୧୧,୧୭୮ ରନ୍ କରିଥିଲେ।
yuvraj-singh | yograj-singh | MS Dhoni