ଏମ୍ଏସ୍ଏମ୍ଇଗୁଡ଼ିକୁ ଜବତ ଅମାନତ ବିନା ସୁଧରେ ଫେରସ୍ତ କରାଯିବ

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରଣାଳୟ ଆଜି ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମଇ ପାଇଁ କୋଭିଡ୍ ମହାମାରୀ ସମୟ ନିମନ୍ତେ ବଡ଼ ସହାୟତା ଯୋଗାଇଛି। ଏହି ମର୍ମରେ କେନ୍ଦ୍ର ଅର୍ଥ ବ୍ୟୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

କୋଭିଡ୍ ମହାମାରୀ କାଳରେ ଏମ୍ଏସ୍ଏମଇ କ୍ଷେତ୍ର ପ୍ରଭାବିତ ହେବାରୁ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହିତ ସାମଗ୍ରୀ ତଥା ସେବା ଯେଗାଣ ପାଇଁ ଯେଉଁ ଚୁକ୍ତି ହୋଇଥିଲା ତାହାକୁ ସମ୍ପୃକ୍ତ ସଂସ୍ଥା ଓ ଉଦ୍ୟୋଗ ପୂରଣ କରିପାରି ନ ଥିଲେ। ତେଣୁ ନିୟମ ଅନୁସାରେ ଏମ୍ଏସ୍ଏମଇ କ୍ଷେତ୍ରରେ ଯୋଗାଣକାରୀ ଯେଉଁ ଅମାନତ ଟଙ୍କା ଜମା କରିଥିଲେ ସର୍ତ୍ତ ରକ୍ଷା କରି ନ ପାରିବାରୁ ତାହା ବାଜ୍ୟାପ୍ତ ହୋଇଥିଲା। ତେବେ କରୋନା ମହାମାରୀ ଭଳି ଏକ ଅପ୍ରତ୍ୟାଶିତ ସ୍ଥିତି ଯୋଗୁଁ ଅମାନତ ଜବତ ହେବାରୁ ଏମ୍ଏସ୍ଏମଇ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ହସ୍ତକ୍ଷେପ ଲୋଡାଯିବା ପରେ କେନ୍ଦ୍ର ସରକାର ଜବତ ହୋଇଥିବା ଅର୍ଥରାଶି ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ।ସରକାରଙ୍କ ଏହି ପ୍ରତିଶ୍ରୁତି ଓ ଘୋଷଣା ଶେଷରେ କାର୍ଯ୍ୟକାରୀ ହୋଇଛି ଏବଂ ୨୦୨୩-୨୪ ବଜେଟରେ ଜବତ ହୋଇଥିବା ଏହି ଅମାନତ ରାଶିର ୯୫% ଅର୍ଥ ସମ୍ପୃକ୍ତ ନିଲାମଧାରୀଙ୍କୁ ଫେରସ୍ତ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ।

ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏମ୍ଏସ୍ଏମ୍ଇର ନିଲାମଧାରୀମାନେ ଏହି ଅର୍ଥ ଫେରିପାଇବେ। ଫେରସ୍ତ ଅମାନତ ଅର୍ଥ ଉପରେ ବିଡରମାନଙ୍କୁ ସୁଧ ଦିଆଯିବ ନାହିଁ। ପ୍ରଶାସନିକ ଖର୍ଚ୍ଚ ବାବଦରେ ଜବତ ଅମାନତରୁ ୫% ଅର୍ଥ କେବଳ କଟାଯିବ। ଏଥର ବଜେଟ୍‌ରେ ଥିବା ‘ବିବାଦ ସେ ବିଶ୍ୱାସ-୧’ଯୋଜନାରେ ଏହି ଅର୍ଥ ଫେରାଯିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର