ଏମ୍‌ଏସ୍‌ପି ଥିଲା, ରହିଛି, ରହିବ

ସଂସଦରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଆଲୋଚନା ପାଇଁ ଚାଷୀ ପ୍ରସ୍ତୁତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସଂସଦରେ ଚାଷୀ ଆନ୍ଦୋଳନ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କହିଛନ୍ତି ଯେ ଚାଷୀମାନେ ଆନ୍ଦୋଳନ ସମାପ୍ତ କରି ଆଲୋଚନା ପାଇଁ ଆସିବା ଜରୁରୀ। ପୂର୍ବ ଭଳି ଏମ୍‌ଏସ୍‌ପି ବ୍ୟବସ୍ଥା ଜାରି ରହିବ ବୋଲି ଉଲ୍ଳେଖ କରି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏମ୍‌ଏସ୍‌ପି ଥିଲା, ଅଛି ଏବଂ ରହିବ ଏବଂ ଯେଉଁ ୮୦ କୋଟି ଲୋକଙ୍କୁ ଶସ୍ତାରେ ରାସନ ଦିଆଯାଉଛି ତାହା ମଧ୍ୟ ଜାରି ରହିବ।

ପ୍ରଧାନମନ୍ତ୍ରୀ କହିଲେ ଯେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ଚାଷୀମାନଙ୍କୁ ବୁଝାଇବା ବଦଳରେ ବିଭ୍ରାନ୍ତିକର ରାଜନୀତି କରୁଛନ୍ତି ଏବଂ ଏଥି ଯୋଗୁଁ ସମସ୍ୟା ଜଟିଳ ହେଉଛି। କୃଷି କ୍ଷେତ୍ରରେ ସଂସ୍କାର ଏବଂ ନୂଆ ଆଇନକୁ ପୂର୍ବରୁ ସମର୍ଥନ କରୁଥିବା ବିରୋଧୀ ଦଳ ଅଚାନକ ଏହି ମାମଲାରେ ୟୁଟର୍ଣ୍ଣ ନେବା ଏକ ବିସ୍ମୟ। ନୂଆ କୃଷି ଆଇନ କାର୍ଯ୍ୟକାରୀ ହେବାପରେ ଏହାକୁ ନେଇ ଯଦି କୌଣସି ସମସ୍ୟା ଆସେ ଏବଂ ସଂଶୋଧନ ଆବଶ୍ୟକ ପଡ଼େ ତାହାକୁ ଅଗ୍ରାଧିକାର ଭିତ୍ତିରେ କରାଯିବ। ତେବେ ମୂଳରୁ ସଂସ୍କାରକୁ ବିରୋଧ କରି ସବୁକିଛି ଅଟକାଇ ଦେବା ଦେଶ ସ୍ବାର୍ଥର ବିରୋଧୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଚାଷୀ ଆନ୍ଦୋଳନ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଅସଲ ସମସ୍ୟା କ’ଣ ଏବଂ ଏହି ସମସ୍ୟାର ଚେର କେଉଁଠି ରହିଛି ତାହା ଉପରେ ଆଲୋଚନା ହେବା ଆବଶ୍ୟକ। ଦେଶର ଛୋଟ ଓ ନାମମାତ୍ର ଚାଷୀ ସବୁବେଳେ ବିଭିନ୍ନ ଯୋଜନାର ଲାଭରୁ ବଞ୍ଚିତ ହେଉଛନ୍ତି। ଏବେ ପିଏମ୍‌ କିଷାନ ନିଧି ଯୋଜନାରେ ସିଧାସଳଖ କୃଷକଙ୍କ ଖାତାରେ ସହାୟତା ପହଞ୍ଚୁଛି। ୧୦ କୋଟି ଚାଷୀ ପରିବାରଙ୍କୁ ଏହାର ଫାଇଦା ମିଳୁଛି ଏବଂ ଆଜି ସୁଦ୍ଧା ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟ୍‌କୁ ପଠାଯାଇଛି। ଏହି ହିତାଧିକାରୀଙ୍କ ମଧ୍ୟରେ ଅଧିକାଂଶ ଛୋଟ ଚାଷୀ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷି କ୍ଷେତ୍ରରେ ଅଧିକ ସଂସ୍କାରର ଆବଶ୍ୟକ ଥିବାରୁ ଆମକୁ ସଂସ୍କାର ଓ ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ। ଏହାକୁ ନେଇ ଆଗକୁ ବଢ଼ିବା ବେଳେ ସମସ୍ୟା ଚିହ୍ନଟ ହେଲେ ତାହାକୁ ସୁଧାରିବା ପାଇଁ ପଦକ୍ଷେପ ନିଆଯିବ। ଦେଶକୁ ଆଗକୁ ନେବା ପାଇଁ ଏହା ଏକ ପ୍ରୟାସ ଏବଂ ଆନ୍ଦୋଳନକାରୀମାନେ ଏହାକୁ ବୁଝିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆଶ୍ବାସନା ପ‌େର ଆଲୋଚନା ପାଇଁ ସେମାନେ ପ୍ରସ୍ତୁତ ବୋଲି ଆନ୍ଦୋଳନ କରୁଥିବା ଚାଷୀମାନେ କହିଛନ୍ତି। ମିଳିତ କୃଷକ ମୋର୍ଚ୍ଚାର ବରିଷ୍ଠ ନେତା ଶିବ କୁମାର କାକା କହିଛନ୍ତି, ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ ଏବଂ ସରକାର ଏଥିପାଇଁ ତାରିଖ ସ୍ଥିର କରି ଆମକୁ ଜଣାନ୍ତୁ। ସରକାରଙ୍କ ଆଲୋଚନା ପ୍ରସ୍ତାବକୁ ଆମେ କେବେ ବି ଏଡ଼ାଇ ଯାଇନାହୁଁ ଏବଂ ଆଗକୁ ମଧ୍ୟ ଆଲୋଚନା ପାଇଁ ଆଗ୍ରହୀ। ସୂଚନାଯୋଗ୍ୟ, ନୂଆ କୃଷି ଆଇନକୁ ନେଇ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ୧୧ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ପନ୍ଥା ବାହାରି ପାରିନାହିଁ। ତେବେ ଆନ୍ଦୋଳନକାରୀମାନଙ୍କ ସଂପର୍କ‌ରେ ପ୍ରଧାନମନ୍ତ୍ରୀ ନେଇଥିବା କେତେକ ମନ୍ତବ୍ୟ ନେଇ ଅନ୍ୟତମ ଚାଷୀ ନେତା ରାକେଶ ଟିକାୟତ ଆପତ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର