ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଅନ୍ୟମାନଙ୍କର ସମ୍ପୃକ୍ତି ଥିବା ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ମୁଦା) ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପ୍ରାୟ ୩୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ମୁଦା ଦ୍ବାରା ଜମି ଆବଣ୍ଟନରେ ହୋଇଥିବା ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ତଦନ୍ତର ଏକ ଅଂଶବିଶେଷ ଭାବେ ଏହି ସମ୍ପତ୍ତି ଜବତ କରାଯାଇଛି। ଜବତ ହୋଇଥିବା ସମ୍ପତ୍ତି ବିଭିନ୍ନ ରିଅଲ ଇଷ୍ଟେଟ୍ ବ୍ୟବସାୟୀ ଓ ଏଜେଣ୍ଟ୍ଙ୍କ ନାଁରେ ପଞ୍ଜୀକରଣ ହୋଇଥିବା ଇଡି ଏକ ବିବୃତିରେ କହିଛି।
ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ବିଏମ୍ ପାର୍ବତୀଙ୍କ ନାମରେ ଥିବା ୩ ଏକର ୧୬ ଗୁଣ୍ଟ ଜମି ମୁଦା ଅଧିଗ୍ରହଣ କରିଛି ଏବଂ ଏହା ବଦଳରେ ତାଙ୍କୁ ୧୪ଟି ସ୍ଥାନରେ କ୍ଷତିପୂରଣ ଆକାରରେ ଜମି ପ୍ରଦାନ କରିଛି। ଏହି କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପ୍ରଭାବକୁ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ, ମୁଦା ସିଦ୍ଦରମୈୟାଙ୍କ ପତ୍ନୀଙ୍କଠାରୁ ନେଇଥିବା ଜମିର ମୂଲ୍ୟ ୩,୨୪,୭୦୦ ଟଙ୍କା । କିନ୍ତୁ ଏହା ବଦଳରେ ତାଙ୍କୁ ଯେଉଁ କ୍ଷତିପୂରଣ ଦେଇଥିଲା ତା’ର ମୂଲ୍ୟ ହେଉଛି ୫୬ କୋଟି। ପୂର୍ବତନ ମୁଦା କମିସନର ଡିବି ନତେଶଙ୍କର ଉକ୍ତ ମାମଲାରେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/18/V2TMrmwEVkVFPHO4viU2.jpg)