କଶ୍ମୀରରେ ଉତ୍ତେଜନା ଜାରି, ଶ୍ରୀନଗରର ସବୁ ମସଜିଦ୍ ସମ୍ପର୍କରେ ତଥ୍ୟ ମାଗିଲା ପ୍ରଶାସନ
ଧାରା ୩୫-ଏ ଉଚ୍ଛେଦ ଆଶଙ୍କା ଘନୀଭୂତ, ସର୍ବଦଳୀୟ ବୈଠକ ପାଇଁ ଆହ୍ବାନ ଦେଲେ ମୁଫ୍ତି
ଶ୍ରୀନଗର: କଶ୍ମୀରରେ ଧାରା ୩୫-ଏ’କୁ ନେଇ ଏବେ ଉତ୍ତେଜନା ବଢ଼ିବାରେ ଲାଗିଛି। କଶ୍ମୀରରେ ଅଧିକ ୧୦ ହଜାର ଯବାନ ମୁତୟନକୁ ନେଇ ରାଜ୍ୟର ବରିଷ୍ଠ ରାଜନେତାମାନେ ଆଶଙ୍କା କରୁଛନ୍ତି ଯେ ଧାରା ୩୫-ଏ’ ଉଚ୍ଛେଦ ନେଇ ଏହା ସରକାରଙ୍କ ପୂର୍ବ ପ୍ରସ୍ତୁତି। କଶ୍ମୀରର ସମସ୍ତ ମସଜିଦ୍ ଗୁଡ଼ିକର ତଥ୍ୟ ସଂଗ୍ରହ ପାଇଁ ଜମ୍ମୁ କଶ୍ମୀର ପ୍ରଶାସନ ଦ୍ବାରା ସଦ୍ୟ ନିର୍ଦ୍ଦେଶ ଜାରି ହୋଇଥିବାରୁ କେନ୍ଦ୍ର ସରକାର ଧାରା ୩୫-ଏ ଉଚ୍ଛେଦ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ୫ ଟି ଜୋନାଲ୍ ଏସ୍ପିଙ୍କୁ ଶ୍ରୀନଗରରେ ଥିବା ସମସ୍ତ ମସଜିଦ୍ର ତାଲିକା ଏବଂ ଏହାର ପରିଚାଳନା କମିଟି ସମ୍ପର୍କରେ ବିଶେଷ ତଥ୍ୟ ରଖିବାପାଇଁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ପୁଲିସ ଅଧିକାରୀମାନଙ୍କୁ ସେମାନଙ୍କ ନିଜନିଜ ଅଞ୍ଚଳରେ ଥିବା ଟାକ୍ସି ଗୁଡ଼ିକର କ୍ଷମତା ଏବଂ ପେଟ୍ରୋଲ ପମ୍ପ୍ ଗୁଡ଼ିକରେ କେତେ ପରିମାଣରେ ତୈଳ ରଖିବାର କ୍ଷମତା ଅଛି ସେନେଇ ତଥ୍ୟ ମଗାଯାଇଥିବା ଖବର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏନେଇ ସାଧାରଣରେ ଭୟ ସୃଷ୍ଟି ହୋଇଥିବାବେଳେ ବରିଷ୍ଠ ପୁଲିସ ଅଧିକାରୀମାନେ କହିଛନ୍ତି ସେମାନେ ଏମିତି କିଛି ନିର୍ଦ୍ଦେଶ ପାଇନାହାନ୍ତି। ଅନ୍ୟ ଏକ ଘଟଣାରେ ଗତ ଶନିବାର ଦିନ ବଡ଼ଗାମରେ ଜଣେ ଆରପିଏଫ୍ ଅଧିକାରୀଙ୍କ ଦ୍ବାରା ଜାରି ଚିଠିରେ କର୍ମଚାରୀମାନଙ୍କୁ ୪ ମାସ ପାଇଁ ରାସନ ସାମଗ୍ରୀ, ୭ ଦିନ ପାଇଁ ପାଣି ଏବଂ ଗାଡ଼ିରେ ତେଲ ଭରି ରଖିବାପାଇଁ କୁହାଯାଇଛି। ଏହାକୁ ନେଇ ମଧ୍ୟ ନାନା ଗୁଜବ ଏବେ ପ୍ରସାରିତ ହେବାରେ ଲାଗିଛି। କିନ୍ତୁ ରେଳବାଇ ପକ୍ଷରୁ ଏବେ ଏହି ଖବରକୁ ଭିତ୍ତିହୀନ ବୋଲି କୁହାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଜମ୍ମୁ କଶ୍ମୀରରେ ଏବେ ଅନିଶ୍ଚିତତା ଜାରି ରହିଥିବାବେଳେ ରାଜ୍ୟରେ ପ୍ରମୁଖ ଦଳ ଗୁଡ଼ିକ ଏବେ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏନ୍ସି ନେତା ଫାରୁକ୍ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପାଇଁ ସମୟ ଦେବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ସେପଟେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ରାଜ୍ୟରେ ସବୁ ଦଳକୁ ଏକତ୍ରୀତ ହେବାକୁ ଅନୁରୋଧ କରିଛନନ୍ତି। ଏକ ସର୍ବ ଦଳୀୟ ବୈଠକ ପାଇଁ ସେ ଫାରୁକ୍ ଅବଦୁଲ୍ଲାଙ୍କୁ ଅନୁରୋଧ କରିଛନ୍ତି। ଅତିରିକ୍ତ ସୈନ୍ୟ ମୁତୟନକୁ ନେଇ ଏବେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ମୁଫ୍ତି କହିଛନ୍ତି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନକୁ ଅଧିକ ସୁଦୃଢ଼ କରିବାପାଇଁ ରାଜ୍ୟକୁ ଅଧିକ ସୈନ୍ୟଦଳ ପଠାଯାଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲେ ସୁଦ୍ଧା ମୁଫ୍ତି କହିଛନ୍ତି ଏହା ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଗତକାଲି ମଧ୍ୟ ମୁଫ୍ତି କହିଥିଲେ, ଧାରା ୩୫ଏକୁ ଛୁଇଁବା ବାରୁଦ ଗଦାରେ ହାତ ମାରିବା ଭଳି ହେବ ଏବଂ କେନ୍ଦ୍ର ସରକାର ଏଥିରୁ ଦୂରେଇ ରହିବା ଉଚିତ୍ ।