ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବାପରେ କେନ୍ଦ୍ର ଉପରେ ବର୍ଷି‌ଲେ ମୁଫ୍‌ତି, କଡ଼ା ଜବାବ ଦେଲା ବିଜେପି

ଶ୍ରୀନଗର: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହେବାପରେ ପିଡିପି (ପିପୁଲ୍ସ ଡିମୋକ୍ରାଟିକ ପାର୍ଟି) ସୁପ୍ରିମୋ ତଥା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଆଜି ଏହ‌ି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ଟ୍ବିଟ୍‌ କରି ମୁଫ୍‌ତି କହିଛନ୍ତି, ବ୍ରିଟେନ୍‌ ପ୍ରଥମ ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପାଇବ। ଏହା ଏକ ଗର୍ବର ମୁହୂର୍ତ୍ତ। ବ୍ରିଟେନ ଜଣେ ସଂଖ୍ୟାଲଘୁ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କଲା।

କିନ୍ତୁ ଭାରତରେ ଆମେମାନେ ଏବେ ବି ସିଏଏ (ନାଗରିକତା ସଂଶୋଧନ ଆଇନ) ଏବଂ ଏନ୍‌ଆରସି ( ନେସନାଲ ରେଜିଷ୍ଟର ଅଫ୍‌ ସିଟି‌ଜେନ୍‌ସ) ପରି ବିଭାଜନକାରୀ ଆ‌ଇନରେ ବନ୍ଧା। ମୁଫ୍‌ତିଙ୍କ ଏଭଳି ଟିପ୍ପଣୀ ପାଇଁ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ ତାଙ୍କ ଉପରେ ବର୍ଷିଛନ୍ତି। ଅମିତ କହିଛନ୍ତି, ଭାରତ ଅନ୍ୟ କୌଣସି ରାଷ୍ଟ୍ରଠାରୁ ବିବିଧତା ଶିକ୍ଷା କରେନାହିଁ। ଭାରତରେ ୩ ଜଣ ମୁସଲିମ ଏବଂ ଜଣେ ଶିଖ ରାଷ୍ଟ୍ରପତି ଥିଲେ। ୧୦ ବର୍ଷ ପାଇଁ ଜଣେ ଶିଖ ପ୍ରଧାନମନ୍ତ୍ରୀ ଥି‌ଲେ। ନ୍ୟାୟପାଳିକାର ଶୀର୍ଷ ପଦ‌ରେ ସଂଖ୍ୟାଲଘୁ ଥିଲେ। ଏପରିକି ସେନାବାହିନୀ‌ରେ ମଧ୍ୟ ଶୀର୍ଷ ସ୍ଥାନରେ ସଂଖ୍ୟାଲଘୁ ରହିଛନ୍ତି। ସେ କହିଛନ୍ତି, ମେହବୁବା ପ୍ରଥମେ ତାଙ୍କ କଥା କାର୍ଯ୍ୟକାରୀ କରନ୍ତୁ ଏବଂ ଜଣେ ହିନ୍ଦୁଙ୍କୁ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରନ୍ତୁ ।

ସମ୍ବନ୍ଧିତ ଖବର