ମୁଗାବେ କ୍ଷମତା ଛାଡ଼ିବାକୁ ନାରାଜ

ହାରାରେ: ଜିମ୍ବାେଓ୍ଵ ସେନା ଦେଶର ଶାସନ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣକୁ ନେବାପରେ ତିନି ଦିନ ଧରି ଗୃହବନ୍ଦୀ ଥିବା ଜିମ୍ବାେଓ୍ଵ ରାଷ୍ଟ୍ରପତି ରବର୍ଟ ମୁଗାବେ କୌଣସି ସ୍ଥିତିରେ ବି କ୍ଷମତା ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଆଜି ସେନାଧିକାରୀ ସହ ଆଲୋଚନା ବେଳେ ମୁଗାବେ ଏହା ସ୍ପଷ୍ଟ କରିଦେଇଥିବାରୁ ମୁଗାବେ ସମର୍ଥକମାନେ ସେନା ବିରୋଧରେ ବିଦ୍ରୋହ କରିବା ଆଶଙ୍କା ଉପୁଜିଛି। ସେନାକୁ ୯୩ ବର୍ଷୀୟ ନେତା ମୁଗାବେ କହିଛନ୍ତି, ସେ କଣସି ପ୍ରକାର ସାଲିସ୍‌ କରିବାକୁ ପ୍ରସ୍ତୁତ ନୁହନ୍ତି କି ତାଙ୍କ ପଦରୁ ମଧ୍ୟ ଇସ୍ତଫା ଦେବେନାହିଁ। ଏହି ଆଲୋଚନା ସମୟରେ ଦକ୍ଷୀଣ ଆଫ୍ରିକା ଉନ୍ନୟନ ସଙ୍ଘର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଗୋଟିଏ ପଟେ ମୁଗାବେଙ୍କ ହାତରେ ଶାସନକ୍ଷମତା ରଖିବାକୁ ସେନା ସମ୍ପୂର୍ଣ୍ଣ ନାରାଜ ଥିବା ବେଳେ ଅନ୍ୟପଟେ ବିରୋଧୀ ଦଳ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମୋର୍ଗାନ୍‌ ସାଭାଙ୍ଗିରାଇ(୭୫) କହିଛନ୍ତି ଯେ, ଦେଶର ସ୍ୱାର୍ଥ ଦୃଷ୍ଟିରୁ ମୁଗାବେ ଇସ୍ତଫା ଦେବା ଜରୁରୀ। ଦଳରୁ ବିତାଡିତ ହୋଇଥିବା ପୂର୍ବତନ ଉପରାଷ୍ଟ୍ରପତି ତଥା ପୂର୍ବତନ ସେନାମୁଖ୍ୟ ଏମର୍ସନ ମନାଙ୍ଗାଓ୍ଵା ଏବେ ସେନାର ସମର୍ଥନ ହାସଲ ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର