ଢାକା: ବାଂଲାଦେଶର ଅନ୍ତରୀଣ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଇସ୍ତଫାକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶନିବାର ଢାକାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ବାଂଲାଦେଶର ଯୋଜନା ପରାମର୍ଶଦାତା ୱାହିଦୁଦ୍ଦିନ ମହମ୍ମଦ ସ୍ପଷ୍ଟ କରିଛନ୍ତି ଯେ ୟୁନୁସ କିମ୍ବା ଅନ୍ୟ କୌଣସି ପରାମର୍ଶଦାତା ଇସ୍ତଫା କଥା ଉଠାଇନାହାନ୍ତି। ସମସ୍ତେ ନିଜ ନିଜ ପଦବିରେ ରହି ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ବ ତୁଲାଉଛନ୍ତି।
ବାଂଲାଦେଶର ଖବରକାଗଜ ‘ପ୍ରୋଥମ୍ ଆଲୋ’ର ରିପୋର୍ଟ ଅନୁଯାୟୀ, ଶନିବାର ଢାକାରେ ଜାତୀୟ ଅର୍ଥନୈତିକ ପରିଷଦର କାର୍ଯ୍ୟନିର୍ବାହୀ କମିଟି ବୈଠକ ପରେ ଅନ୍ତରୀଣ ସରକାରଙ୍କ ପରାମର୍ଶଦାତାଙ୍କ ଏକ ରୁଦ୍ଧଦ୍ବାର ବୈଠକ ହୋଇଥିଲା। ଏହି ବୈଠକ ପୂର୍ବରୁ ନିର୍ଦ୍ଧାରିତ ହୋଇନଥିବା ବେଳେ ଏହା ଦୁଇ ଘଣ୍ଟା ଧରି ଚାଲିଥିଲା। ଏଥିରେ ୟୁନୁସ ସମସ୍ତ ପରାମର୍ଶଦାତାଙ୍କ ସହ ପରିସ୍ଥିତିର ସମୀକ୍ଷା କରିଥିଲେ। ବୈଠକ ପରେ ଵାହିଦୁଦ୍ଦିନ କହିଛନ୍ତି, ମୁଖ୍ୟ ପରାମର୍ଶଦାତା ଆମ ସହିତ ଅଛନ୍ତି। ସେ ଇସ୍ତଫା ବିଷୟରେ କିଛି କହିନଥିଲେ। ଆମେ ସମସ୍ତେ ଆମର ଦାୟିତ୍ୱ ନିର୍ବାହ କରୁଛୁ । ତେବେ ବୈଠକ ଶେଷ ହେବା ପୂର୍ବରୁ ପରିବେଶ ପରାମର୍ଶଦାତା ସୟଦା ରିଜୱାନା ହାସନ ଗଣମାଧ୍ୟମକୁ କହିଛନ୍ତି ଯେ ବୈଠକରେ ସାଧାରଣ ନିର୍ବାଚନ ଓ ଆବଶ୍ୟକ ସଂସ୍କାର ସମ୍ପର୍କରେ ଆଲୋଚନା ହୋଇଛି।
ତେବେ ନିର୍ବାଚନ କେବେ ହେବ ସେ ନେଇ ସେ କିଛି ସୂଚନା ଦେଇନାହାନ୍ତି। ସୂଚନାଯୋଗ୍ୟ, ଅନ୍ତରୀଣ ସରକାରଙ୍କ ପୂର୍ବତନ ପରାମର୍ଶଦାତା ତଥା ଏନସିପି ନେତା ନାହିଦ ଇସଲାମ ଗୁରୁବାର ରାତିରେ ଗଣମାଧ୍ୟମକୁ କହିଥିଲେ ଯେ ୟୁନୁସ ଇସ୍ତଫା ଦେବାକୁ ବିଚାର କରୁଛନ୍ତି। ସେ କହିଥିଲେ ଯେ ୟୁନୁସ ନିରାଶ ଅନୁଭବ କରୁଛନ୍ତି ଏବଂ ରାଜନୈତିକ ଦଳଗୁଡିକ ସହିତ ମତଭେଦ କାରଣରୁ ଠିକ୍ ଭାବରେ କାମ କରିବାକୁ ସମର୍ଥ ନୁହଁନ୍ତି । ଏପରିକି ୟୁନୁସ ଏକ ନୂତନ ଅନ୍ତରୀଣ ସରକାର ଗଠନ କରିବା ବିଷୟରେ ମଧ୍ୟ କହିଥିଲେ ଏବଂ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ନାହିଦ କହିଥିଲେ।