ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ପରେ ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରୀ ଇବ୍ରାହିମ ଫୈସଲ ଜୁଲାଇ ୨୯ ସୋମବାର ୬ ଦିନିଆ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ‘ଇଣ୍ଡିଆ ଆଉଟ୍’ସ୍ଲୋଗାନ ଦେଇଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ନେଇ ଚିନ୍ତିତ ଥିବାବେଳେ ଭାରତୀୟ ପର୍ଯ୍ୟଟକଙ୍କୁ ମନେଇବା ପାଇଁ ‘ୱେଲକମ୍ ଇଣ୍ଡିଆ’ ଅଭିଯାନ ଅର୍ନ୍ତଗତ ତାଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭାରତକୁ ପଠାଇଛନ୍ତି।
ପର୍ଯ୍ୟଟନ ମନ୍ତ୍ରୀ ଇବ୍ରାହିମ ଫୈସଲ ତାଙ୍କ ଗସ୍ତକ୍ରମ ସମୟ ମଧ୍ୟରେ ମାଳଦ୍ୱୀପକୁ ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବେ। ସୋମବାର ମାଳଦ୍ୱୀପରୁ ଆସିବା ପୂର୍ବରୁ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟୁଇଟ୍ କରି ଏହି ଯାତ୍ରା ବିଷୟରେ ସୂଚନା ଦେଇଥିଲେ। ସେ ଲେଖିଥିଲେ, ଦିଲ୍ଲୀର ୱେଲକମ୍ ଇଣ୍ଡିଆ ରୋଡ ସୋ ୨୦୨୪ରେ ଆମର ପ୍ରଥମ କାର୍ଯ୍ୟକ୍ରମରେ ମୁଁ ମାଳଦ୍ୱୀପ ପ୍ରଦର୍ଶନ କରିବା ନେଇ ଉତ୍ସାହିତ। ଗତ ବର୍ଷ ପର୍ଯ୍ୟନ୍ତ ମାଳଦ୍ୱୀପ ପରିଦର୍ଶନ କରୁଥିବା ଅଧିକ ପର୍ଯ୍ୟଟକଙ୍କ ସଂଖ୍ୟା ହେଉଛନ୍ତି ଭାରତୀୟ। କିନ୍ତୁ ଗତ ୬ମାସ ମଧ୍ୟରେ ଏହା ଦ୍ରୁତ ଗତିରେ ହ୍ରାସ ପାଇଛି। ଏହି ସମୟରେ ଚୀନ୍ ମାଳଦ୍ୱୀପକୁ ଅତିକ୍ରମ କରି ବୃହତ୍ତମ ପର୍ଯ୍ୟଟନ ବଜାରରେ ପରିଣତ ହୋଇଛି।
ଭାରତ ଗସ୍ତ ସମୟରେ ମାଲଦ୍ୱୀପ ପର୍ଯ୍ୟଟନ ମନ୍ତ୍ରୀ ଫୈସଲ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ‘ୱେଲକମ୍ ଇଣ୍ଡିଆ’ଅଭିଯାନ ଅନ୍ତର୍ଗତ ଅନେକ ରୋଡ ସୋରେ ଅଂଶଗ୍ରହଣ କରିବେ। ଜୁଲାଇ ୩୦ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଛୁଟିଦିନ ଭାବରେ ମାଳଦ୍ୱୀପକୁ ମଜବୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୩ ତୁଳନାରେ ଚଳିତ ବର୍ଷର ପ୍ରଥମ ଚାରି ମାସରେ ମାଳଦ୍ୱୀପକୁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୪୨ ପ୍ରତିଶତ ହ୍ରାସ ପାଇଛି। ୨୦୨୩ ମସିହାରେ ମାଳଦ୍ୱୀପରେ ପହଞ୍ଚୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତୀୟମାନେ ପ୍ରଥମ ସ୍ଥାନରେ ଏବଂ ଚୀନ୍ ତୃତୀୟ ସ୍ଥାନରେ ରହିଥିଲେ।
ମାଳଦ୍ୱୀପକୁ ଭାରତୀୟ ପର୍ଯ୍ୟଟକଙ୍କ ହ୍ରାସ ନୂଆଦିଲ୍ଲୀ ଏବଂ ମାଲେ ମଧ୍ୟରେ କୂଟନୈତିକ ବିବାଦ ପରେ ଦେଖା ଯାଇଥିଲା। ଏହା ଉପରେ ସବୁଠାରୁ ବଡ ପ୍ରଭାବ ଥିଲା ଯେତେବେଳେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସରକାରର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ମାଦ୍ବୀପ ଗସ୍ତକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ପରେ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା, କିନ୍ତୁ ସେମାନଙ୍କ ମନ୍ତବ୍ୟ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। ଅନେକ ଲୋକ ସୋସିଆଲ ମିଡିଆରେ ମାଳଦ୍ୱୀପ ପରିଦର୍ଶନ ନ କରିବାକୁ ସର୍ବସାଧାରଣରେ ଘୋଷଣା କରିଥିଲେ। ଏପରିକି ସେମାନେ ସେମାନଙ୍କର ଯାତ୍ରା ବାତିଲ କରିଥିଲେ।
ଚଳିତ ବର୍ଷ ମେ’ ମାସରେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଫୈସଲ କହିଥିଲେ ଯେ, 'ମୁଁ ଭାରତୀୟମାନଙ୍କୁ କହିବାକୁ ଚାହେଁ ଦୟାକରି ମାଳଦ୍ୱୀପ ପର୍ଯ୍ୟଟନର ଏକ ଅଂଶ ହୁଅନ୍ତୁ। ଆମର ଅର୍ଥନୀତି ପର୍ଯ୍ୟଟନ ଉପରେ ନିର୍ଭର କରେ। ଚୀନ୍ ସମର୍ଥକ ମୁଇଜ୍ଜୁ ରାଷ୍ଟ୍ରପତି ହେବା ପରଠାରୁ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଖରାପ ରହିଛି। ପ୍ରକାଶ ଥାଉକି, ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ମୁଇଜ୍ଜୁ ଉପସ୍ଥିତ ଥିଲେ। ମାଳଦ୍ୱୀପର ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ମହମ୍ମଦ ମୁଇଜ୍ଜୁ ଇଣ୍ଡିଆ ଆଉଟ୍ ସ୍ଲୋଗାନ ଦେଇଥିଲେ, କିନ୍ତୁ ଗୋଟିଏ ବର୍ଷ ମଧ୍ୟରେ ତାଙ୍କ ସରକାରଙ୍କୁ ଭାରତରେ ଏବେ‘ୱେଲକମ୍ ଇଣ୍ଡିଆ’ ଅଭିଯାନ ଚଳାଇବାକୁ ପଡିଛି।