ମୁଜାଫରପୁର ଆଶ୍ରୟସ୍ଥଳ ମାମଲା: ବ୍ରଜେଶ ସମେତ ୧୯ ଦୋଷୀସାବ୍ୟସ୍ତ, ଜାନୁଆ‌ରି ୨୮ରେ ଦଣ୍ଡାଦେଶ

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଆଜି ଦିଲ୍ଲୀ କୋର୍ଟ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସମେତ ସମୁଦାୟ ୧୯ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲା ବିଚାରପତି ସୌରଭ କୁଳଶ୍ରେଷ୍ଠ ଏହି ମାମଲାରେ ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୧୯ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଏବଂ ୮ ଜଣ ମହିଳା ଥିଲେ। ପୋକ୍‌ସୋ ଆଇନ ଅଧୀନରେ କୋର୍ଟ ବ୍ରଜେଶ ଠାକୁରଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ସମସ୍ତ ଦୋ‌ଷୀଙ୍କ ବିରୋଧରେ ଆସନ୍ତା ଜାନୁଆରି ୨୮ ସକାଳ ୧୦ଟା ସମୟରେ ଦଣ୍ଡାଦେଶ ହେବ। ମାମଲାରେ ବ୍ରଜେଶ ଠାକୁରଙ୍କ ସମେତ ଅନ୍ୟମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ।

ପୂର୍ବତନ ବିପିପି (ବିହାର ପିପୁଲ୍ସ ପାର୍ଟି) ବିଧା‌ୟକ ତଥା ଏକ ସରକାରୀ ଏନ୍‌ଜିଓ ମାଲିକ ବ୍ରଜେଶ ଠାକୁରଙ୍କ ଦ୍ବାରା ଏହି ଆଶ୍ରୟସ୍ଥଳର ପରିଚାଳନା ହେଉଥିଲା। ଏ‌ହି ଆଶ୍ରୟସ୍ଥଳରେ ୩୦ରୁ ଅଧିକ ନାବାଳିକା ଦୁଷ୍କର୍ମ ଏବଂ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ବହୁ ରାଜନେତା ଏବଂ ପ୍ରଶାସକଙ୍କର ଏଥିରେ ସମ୍ପୃକ୍ତି ଥିଲା। ଟିଆଇଏସ୍‌ଏସ୍‌ ( ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋ‌ସିଆଲ ସାଇନ୍ସ) ଦ୍ବାରା ରାଜ୍ୟର ସମାଜ ବିକାଶ ବିଭାଗରେ ଦାଖଲ ହୋଇଥିବା ଅଡିଟ୍‌ ରିପୋର୍ଟରୁ ଏ ସଂକ୍ରାନ୍ତରେ ଜଣାପଡ଼ିଥିଲା। ୨୦୧୮ ମେ’ରେ ଏହି ଘଟଣା ଲୋକଲୋଚନକୁ ଆସିଲା। ଉକ୍ତ ମାମଲାର ପର୍ଦ୍ଦାଫାସ ହେବାପରେ ରାଜ୍ୟରେ ଶାସକ ଦଳ ଜେଡିୟୁର ଜଣେ ସଦସ୍ୟ ତଥା ପୂର୍ବତନ ସମାଜ ବିକାଶ ମନ୍ତ୍ରୀ ମଂଜୁ ବର୍ମା ଇସ୍ତଫା ଦେଇଥିଲେ। ବ୍ରଜେଶ ଠାକୁରଙ୍କର ମଂଜୁ ବର୍ମାଙ୍କ ସ୍ବାମୀଙ୍କ ସହ ସମ୍ପୃକ୍ତି ଥିଲା। ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବାପରେ ବିହାର ସରକାର ଆଶ୍ରୟସ୍ଥଳରୁ ଝିଅମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଉକ୍ତ ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା। ଜୁଲାଇ ୨୬,୨୦୧୮ରେ ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା। ତେବେ ୨୦୧୯, ଫେବ୍ରୁଆରି ୭ରେ ସୁପ୍ରିମକୋର୍ଟ ଏହି ମାମଲାକୁ ବିହାରରୁ ଦିଲ୍ଲୀର ସକେତ ଜିଲ୍ଲା କୋର୍ଟ ପରିସର ସ୍ଥିତ‌ ପୋକ୍ସ କୋର୍ଟକୁ ସ୍ଥ‌ାନାନ୍ତର ପାଇଁ କହିଥିଲେ ଏବଂ ୬ ମାସ ମଧ୍ୟରେ ବିଚାରଣ ଶେଷ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର