ନୂଆଦିଲ୍ଲୀ: ତେଲରୁ ନେଇ ଟେଲିକମ ପର୍ଯ୍ୟନ୍ତ ପରିବ୍ୟାପ୍ତ ରିଲାଏନ୍ସ କମ୍ପାନିର କାରବାର। ଏତେ ବଡ଼ କାରବାରକୁ କାହା ହାତରେ ସମର୍ପଣ କରିବେ ସେ ନେଇ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜର ପାଖାପାଖି ୧୫.୪୮ ଲକ୍ଷ କୋଟି ଟଙ୍କାର କାରବାର କାହାକୁ ଦେବେ ବା ତାଙ୍କ ଅନ୍ତେ ଏସବୁ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବ ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ।
ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ ମୁକେଶ ଅମ୍ବାନୀ ଏନେଇ ୱାଲମାର୍ଟର ଫାଉଣ୍ଡର ମେମ୍ବର ସାମ୍ ୱାଲଟନଙ୍କ ରାସ୍ତାରେ ଯିବାକୁ ଚାହୁଁଛନ୍ତି । ଦୁନିଆର ସବୁଠାରୁ ବଡ଼ ରିଟେଲ କମ୍ପାନି ୱାଲମାର୍ଟ ଯେଉଁଭଳି ଭାବେ ନିଜର ଉତ୍ତରାଧିକାରୀ ଚୟନ କରିଥିଲା, ସେଭଳି ଭାବେ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରୀ ଚୟନ କରିବେ ବୋଲି ଜଣାପଡ଼ିଛି।
୬୪ ବର୍ଷିୟ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପାଖାପାଖି ୭ ଲକ୍ଷ କୋଟି ଟଙ୍କା । ଏହି ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବ ସେନେଇ ମୁକେଶ ଅମ୍ବାନୀ ଅଧିକାରିକ ଭାବେ କିଛି ଘୋଷଣା କରି ନାହାଁନ୍ତି । ମାତ୍ର ନିଜକୁ ଏଥିରୁ ମୁକୁଳାଇବାକୁ ସେ ଯୋଜନା କରୁଥିବା କଥା ଜଣାପଡିଛି । ସେପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ ସେୟାର ୫୦.୬ ପ୍ରତିଶତ ରହିଛି, ଯାହା ୨୦୧୯ ମାର୍ଚ୍ଚ ମାସରେ ଏହା ୪୭.୨୭ ପ୍ରତିଶତ ରହିଥିଲା ।
ଜୁନ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବାର୍ଷିକ ଉତ୍ସବରେ କର୍ମଚାରୀଙ୍କୁ ସମ୍ବୋଧିତ କରିବା ବେଳେ ମୁକେଶ ଅମ୍ବାନୀ ସଙ୍କେତ ଦେଇଥିଲେ କି ତାଙ୍କ ପିଲା କିମ୍ବା ତାଙ୍କ ପରିବାରର ଅନ୍ୟକେହି ଏହି ବିଶାଳ ସାମ୍ରାଜ୍ୟର ପ୍ରମୁଖ ସ୍ଥାନରେ ରହିବେ । ମୁକେଶ ଅମ୍ବାନୀ ଏହି ମାମଲାରେ ବହୁ ଆଗରୁ ଚିନ୍ତା କରିବା ଆରମ୍ଭ କରିଛନ୍ତି । ସେପେଟେ ତାଙ୍କର ଜମଜ ସନ୍ତାନ ଆକାଶ ଓ ଇସା ଅମ୍ବାନୀ ରିଟେଲ ଓ ଟେଲିକମ ଭଳି କାରବାରରେ ସକ୍ରିୟ ଭୂମିକା ନେଇଛନ୍ତି । ୨୦୧୪ ରେ ଏହି ଦୁଇଜଣଙ୍କୁ ଟେଲିକମ ଓ ରିଟେଲ ବ୍ୟବସାୟରେ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଥିଲା । ଏବେ ତାଙ୍କର ସାନପୁଅ ଅନନ୍ତ ଅମ୍ବାନୀ ଜିଓ ପ୍ଲାଟଫର୍ମର ଡାଇରେକ୍ଟର ଅଛନ୍ତି ।
ରିପୋର୍ଟରେ ଦାବି କରାଯାଇଛି କି ସରଳ ଉପାୟରେ ବ୍ୟବସାୟକୁ ହସ୍ତାନ୍ତର କରିବାକୁ ମୁକେଶ ଅମ୍ବାନୀ ଫ୍ୟାମିଲି ହୋଲ୍ଡିଂକୁ ଏକ ଟ୍ରଷ୍ଟ ଭଳି ପ୍ରସ୍ତୁତ କରିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଉପରେ ଏହି ଟ୍ରଷ୍ଟର ପୂରା ନିୟନ୍ତ୍ରଣ ରହିବ । ଏହାର ବୋର୍ଡରେ ପରିବାରର ସମସ୍ତ ସଦସ୍ୟଙ୍କୁ ସାମିଲ କରାଯିବ ।