ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନିଙ୍କ ବିବାହ ହୀରା ବ୍ୟବସାୟୀ ରସେଲ ମେହେତାଙ୍କ କନ୍ୟା ଶ୍ଳୋକା ମେହେତାଙ୍କ ସହ ଠିକ୍ ହୋଇ ସାରିଥିବା ବେଳେ ଏବେ ତାଙ୍କ ଝିଅ ଇଶା ଅମ୍ବାନିଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଚଳିତ ବର୍ଷ ଡ଼ିସେମ୍ବରରେ ବ୍ୟବସାୟୀ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ବିବାହ କରିବେ ବୋଲି ଜଣା ପଡ଼ିଛି । ବହୁତ ପୂର୍ବରୁ ଇଶା ଆନନ୍ଦଙ୍କୁ ଜାଣିଥିବା ସହ ଦୁହିଁଙ୍କ ପରିବାର ଏହି ସଂପର୍କକୁ ସହମତି ଜଣାଇଥିବା ଜଣା ପଡ଼ିଛି । ଆନନ୍ଦ ଇଶାଙ୍କୁ ମହାବଳେଶ୍ୱରରେ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଇଶା ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଏ ବିଷୟରେ ଦୁହିଁଙ୍କ ପରିବାର ଲୋକ ଜାଣିବା ପରେ ଏହି ବିବାହକୁ ସହମତି ଜଣାଇଥିଲେ ।
/sambad/media/post_attachments/wp-content/uploads/2018/05/isha-ambani11-300x167.jpg)
ସୂଚନା ମୁତବାକ, ଆନନ୍ଦ ହାର୍ଭାର୍ଡ଼ ବିଜ୍ନେସ ସ୍କୁଲରେ ନିଜ ପଢ଼ା ସାରି ଏବେ ପିରାମଲ ଏଣ୍ଟରପ୍ରାଇସେସ୍ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ଜଣା ପଡ଼ିଛି । ହାର୍ଭାର୍ଡ଼ ବିଜ୍ନେସ ସ୍କୁଲରେ ପଢ଼ା ସାରି ସେ ନିଜର ଦୁଇଟି କମ୍ପାନି ଆରମ୍ଭ କରିଥିଲେ । ଗୋଟେ ହେଲା ପିରାମଲ ଇ. ହେଲ୍ଥ ଏବଂ ଦ୍ୱିତୀୟଟି ହେଲା ରିୟଲ ଇଷ୍ଟେଟ୍ ପିରାମଲ ରିୟାଲିଟି । ଏହି ଦୁଇ କମ୍ପାନି ପିରାମଲ ଏଣ୍ଟରପ୍ରାଇସେସ୍ର ଗୋଟେ ଭାଗ ବୋଲି ଜଣା ପଡ଼ିଛି । ଏହା ସହ ବ୍ୟବସାୟୀ ହେବା ପାଇଁ ସେ ମୁକେଶ ଅମ୍ବାନିଙ୍କଠାରୁ ଅନୁପ୍ରାଣିତ ହୋଇଥିଲେ ବୋଲି କହିଛନ୍ତି । ତେବେ ଦୁଇ ଜଣଙ୍କର ବିବାହ ବର୍ଷ ଶେଷ ଆଡ଼କୁ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ଅମ୍ବାନି ପରିବାର ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆ ଯାଇ ନାହିଁ ।