ଘର ବାହାରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ଏବେ ମୁକେଶ ଅମ୍ବାନୀଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଗୃହ ମନ୍ତ୍ରାଳୟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କୁ ବର୍ତ୍ତମାନ ଜେଡ ପ୍ଲସ୍ ବର୍ଗ ସୁରକ୍ଷା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ମିଳୁଥିଲା। ଇଣ୍ଟେଲିଜେନ୍ସ ବ୍ୟୁରୋ ନିଜ ରିପୋର୍ଟରେ କହିଥିଲା ଯେ, ମୁକେଶ ଅମ୍ବାନୀଙ୍କ ଜୀବନ ଉପରେ ଏବେ ଅଧିକ ବିପଦ ରହିଛି। ଏହି ରିପୋର୍ଟ ପାଇ ଗୃହ ମନ୍ତ୍ରାଳୟ ତାଙ୍କ ସୁରକ୍ଷା ବଢ଼ାଇ ଥିବା ଜଣାପଡ଼ିଛି। ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଥିବା ଗାଡି ମିଳିବା ପରେ ତାଙ୍କ ସୁରକ୍ଷାକୁ ବଢ଼ାଇବା ପାଇଁ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା।

ୟେଲୋ ବୁକ୍ ଅଫ୍ ସିକ୍ୟୁରିଟି ଅନୁଯାୟୀ, ଯେଉଁ ଭିଭିଆଇପିଙ୍କୁ ଜେଡ୍ ପ୍ଲସ୍ ବର୍ଗ ସୁରକ୍ଷା ଦିଆଯାଏ, ତାଙ୍କ ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ଏହା ସହ ଜେଡ୍ ପ୍ଲସ୍ ବର୍ଗର ସୁରକ୍ଷା ମିଳିଲେ ଭିଭିଆଇପିଙ୍କ ସୁରକ୍ଷା ପାଇଁ ୫୮କମାଣ୍ଡୋଙ୍କୁ ନିୟୋଜିତ କରାଯାଇଥାଏ।

ତେବେ ପୂର୍ବରୁ ଅମ୍ବାନୀଙ୍କ ଘର ବାହାରୁ ବିସ୍ଫୋରକ ସାମଗ୍ରୀ ମିଳିଥିବା ବେଳେ ଅଗଷ୍ଟ ମାସରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିଥିଲା। ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି ୩ ଥର ଫୋନ୍‌ କରି ଧମକ ଦିଆଯାଇଥିଲା। ଉକ୍ତ ଫୋନ୍‌ କଲ୍‌ ସବୁ ‘ରିଲାଏନ୍‌ସ୍‌ ଫାଉଣ୍ଡେସନ୍‌’ର ‘ହର୍‌କିଷନଦାସ ହସ୍ପିଟାଲ୍‌’ ନମ୍ବରକୁ ଆସିଥିଲା। ପରେ ଫୋନ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲେ ବି ବାରମ୍ବାର ଧମକ ମିଳୁଥିବାରୁ ଆଜି ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର