ବିଲ୍‌ ଗେଟ୍ସ ବିଶ୍ୱର ନଂ୧ ଧନୀ, ୧୨ତମ ସ୍ଥାନରେ ମୁକେଶ ଅମ୍ବାନି : ବ୍ଲୁମ୍ବର୍ଗ ଧନୀ ତାଲିକା

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନିଙ୍କ ମୋଟ ସଂପତ୍ତି ପରିମାଣ ପ୍ରାୟ ୧୭ ବିଲିୟନ ଡଲାର ବୃଦ୍ଧି ପାଇଛି । ଏହାସହିତ ତାଙ୍କର ମୋଟ ସଂପତ୍ତିର ପରିମାଣ ୬୧ ବିଲିୟନ ଡଲାରରେ ପହଞ୍ଚିଛି । ସଂପତ୍ତି ବୃଦ୍ଧି କ୍ଷେତ୍ରରେ ମୁକେଶ ବିଶ୍ୱର ଅନ୍ୟ ପ୍ରମୁଖ ଧନୀ ଯଥା ଆଲିବାବାର ଜାକ୍‌ ମା ଓ ଆମାଜନର ଜେଫ ବୋଜୋସଙ୍କୁ ପଛରେ ପକାଇଦେଇଛନ୍ତି ବୋଲି ବ୍ଲୁମ୍ବର୍ଗ ବିଲିୟନାରୀ ଇଣ୍ଡେକ୍ସରେ କୁହାଯାଇଛି । ଜାକ୍‌ ମାଙ୍କ ସଂପତ୍ତିରେ ୧୧.୩ ବିଲିୟନ ଡଲାର ମିଶିଥିବାବେଳେ ଜେଫ ବେଜୋସଙ୍କ ସଂପତ୍ତି ୧୩.୨ ବିଲିୟନ ଡଲାର ହ୍ରାସ ପାଇଛି ।

ଏହି ତାଲିକା ଅନୁସାରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟସ ୧୧୩ ବିଲିୟନ ଡଲାର ସଂପତ୍ତି ସହ ବିଶ୍ୱର ୧ ନମ୍ବର ଧନୀର ମାନ୍ୟତା ପାଇଛନ୍ତି । ତାଙ୍କ ତଳକୁ ରହିଛନ୍ତି ଜେଫ ବେଜୋସ । ତାଙ୍କର ମୋଟ ସଂପତ୍ତିର ପରିମାଣ ୧୩.୨ ବିଲିୟନ ଡଲାର ହ୍ରାସ ପାଇ ୧୧୨ ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ୧୦୪ ବିଲିୟନ ଡଲାର ସହ ୩ୟ ସ୍ଥାନରେ ରହିଛନ୍ତି ବର୍ନାଡ୍‌ ଆରନଲ୍ଟ । ୮୮.୯ ବିଲିୟନ ଡଲାର ସହ ଓ୍ଵାରେନ ବଫେଟ ୪ର୍ଥ ସ୍ଥାନରେ ରହିଛନ୍ତି । ମୁକେଶ ଅମ୍ବାନି ତାଲିକାର ୧୨ତମ ସ୍ଥାନରେ ରହିଛନ୍ତି ।

ଚଳିତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଥିବାରୁ ମୁକେଶଙ୍କ ସଂପତ୍ତି ପରିମାଣ ବୃଦ୍ଧି ପାଇଛି । ଏହାଛଡ଼ା ରିଲାଏନ୍ସର ଟେଲିକମ କମ୍ପାନି ଜିଓର ରାଜସ୍ୱ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର