ମୁମ୍ବାଇ: ଦେଶର ଏକ ନମ୍ବର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ସୋମବାର (ଅଗଷ୍ଟ ୨୮)ରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ୍) ଏହାର ପାନୀୟ ବ୍ରାଣ୍ଡ ‘କ୍ୟାମ୍ପାକୋଲା’କୁ ପୁଣି ଥରେ ଲଞ୍ଚ୍‌ କରିବାର ନିଷ୍ପତ୍ତି ନେଇଛି। ଏହା ଏସିଆ ଏବଂ ଆଫ୍ରିକା ଠାରୁ ଆରମ୍ଭ କରି ବିଶ୍ୱ ବଜାରରେ ନିଜର ପରିଚୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Advertisment

ସୂଚନାଯୋଗ୍ୟ ଯେ ଆରସିପିଏଲ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ୟାକେଜ୍ ଖାଉଟି ସାମଗ୍ରୀ ଶାଖା । ଯାହାକି ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସର ସହାୟକ କମ୍ପାନି। ଏହି କମ୍ପାନିକୁ ସମ୍ଭାଳୁଛନ୍ତି ମୁକେଶ ଓ ନିତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ତମ ବାର୍ଷିକ ସାଧାରଣ ସଭା ବା ଏଜିଏମ୍‌ରେ ଈଶା ଅମ୍ବାନି ଏହି ନୂତନ ପାନୀୟ ବ୍ରାଣ୍ଡ୍‌ ସଂପର୍କରେ ଘୋଷଣା କରିଛନ୍ତି। ଆପଣ ଜାଣିଥିବ‌େ ଯେ ‘କ୍ୟାମ୍ପାକୋଲା’କୁ ୨୦୨୨ ମସିହାରେ ମୁକେଶ ଅମ୍ବାନୀ ‘ପିଓର୍‌ ଡ୍ରିଙ୍କ୍ସ ଲିମିଟେଡ୍‌’ରୁ କିଣିଥିଲେ।

୨୨ କୋଟି ଟଙ୍କାରେ ‘କ୍ୟାମ୍ପାକୋଲା’କୁ  ହାସଲ କରିବା ପରେ ରିଲାଏନ୍ସ ରିଟେଲ ଏହାକୁ ପୁଣିଥରେ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଛି। ଏହି ଉତ୍ପାଦ ବର୍ତ୍ତମାନ କେତେକ ସହରରେ ଉପଲବ୍ଧ ମଧ୍ୟ। ବିଶେଷଜ୍ଞଙ୍କ ଅନୁଯାୟୀ, ‘କ୍ୟାମ୍ପାକୋଲା’ ଖୁବ୍ ଶୀଘ୍ର ‘କୋକାକୋଲା’ ଏବଂ ‘ପେପସିକୋ’ ଭଳି ପ୍ରତିଷ୍ଠିତ ବ୍ରାଣ୍ଡ ସହିତ ପ୍ରତିଯୋଗିତା ଆରମ୍ଭ କରିବ। କିଛି ମାସ ପୂର୍ବେ, ‘କ୍ୟାମ୍ପାକୋଲା’ର କ୍ୟାନ୍ ପ୍ୟାକ୍ ଏବଂ ଉତ୍ପାଦନ କରିବା ପାଇଁ ଆରସିପିଏଲ୍ ସିଲନ୍ ବେଭରେଜ୍ ଇଣ୍ଟରନ୍ୟାସନାଲ୍ ସହିତ ଏକ ଚୁକ୍ତି କରିଥିଲା।