ନୂଆଦିଲ୍ଲୀ: କିଛି ଦିନ ତଳେ ଏସିଆର ସବୁଠାରୁ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋର୍ଡରେ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ହେଲେ ଏବେ ଏହାକୁ ନେଇ ମତଭେଦ ଦେଖାଦେଇଛି। ନିକଟରେ ଅନୁଷ୍ଠିତ ରିଲାଏନ୍ସ ଏଜିଏମରେ ମୁକେଶଙ୍କ ୩ପୁଅ-ଝିଅ ଆକାଶ, ଇଶା ଏବଂ ଅନନ୍ତ ଅମ୍ବାନୀଙ୍କୁ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଦୁଇଟି ପରାମର୍ଶଦାତା କମ୍ପାନି ଅନନ୍ତ ଅମ୍ବାନୀଙ୍କ ବୋର୍ଡରେ ସାମିଲ ହେବାକୁ ନେଇ ବିରୋଧ କରିଛନ୍ତି।
ବିଜନେସ୍ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇନଷ୍ଟିଚ୍ୟୁସନାଲ ସେୟାରହୋଲ୍ଡର ସର୍ଭିସେସ୍ ଇଙ୍କ୍ (ଆଇଏସଏସଆଇ) ଏବଂ ମୁମ୍ବାଇ ସ୍ଥିତ ଇନଷ୍ଟିଚ୍ୟୁସନାଲ ଇନଭେଷ୍ଟର୍ସ ଆଡଭାଇଜରୀ ସର୍ଭିସେସ୍ (ଆଇଆଇଏଏସ) ଅନନ୍ତ ଅମ୍ବାନୀଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବୋର୍ଡରେ ସାମିଲ ହେବା ପାଇଁ ଅନନ୍ତଙ୍କ ପାଖରେ ଅଭିଜ୍ଞତା ନଥିବା ସହ ତାଙ୍କର ବୟସ ହୋଇନାହିଁ ବୋଲି କହିଛନ୍ତି ଏହି ୨କମ୍ପାନି। ଏହା ସହ ଅନନ୍ତଙ୍କ ସାମିଲକୁ ବିରୋଧ କରିବା ପାଇଁ ଉଭୟ ପରାମର୍ଶଦାତା କମ୍ପାନି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଂଶୀଦାରମାନଙ୍କୁ ସୁପାରିଶ କରିଛନ୍ତି। ଅକ୍ଟୋବର ୨୬ରେ ଅଂଶୀଦାରମାନେ ଭୋଟ ଦେବେ। ତେବେ ଅଂଶୀଦାରମାନେ ଅନନ୍ତଙ୍କୁ ସମର୍ଥନ କରୁଛନ୍ତି ନା ବିରୋଧ ତାହା ଦେଖିବାକୁ ବାକି ରହିଲା।
ଅନ୍ୟପକ୍ଷରେ ୨ପରାମର୍ଶଦାତା କମ୍ପାନି ବିରୋଧ କରିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କୁହାଯାଇଥିଲା ଯେ, ବୋର୍ଡରେ ଯୋଗଦେବା ପାଇଁ ଅନନ୍ତ ଅମ୍ବାନୀଙ୍କ ପାଖରେ ଯଥେଷ୍ଟ ଭଲ ଅଭିଜ୍ଞତା ରହିଛି। କମ୍ପାନିର ବ୍ୟବସାୟରେ ତାଙ୍କର ସକ୍ରିୟ ଯୋଗଦାନ ତଥା ବର୍ଷ ବର୍ଷ ଧରି ସେ ବରିଷ୍ଠ ନେତୃତ୍ୱଙ୍କଠାରୁ ପ୍ରାପ୍ତ ତାଲିମରୁ ମଧ୍ୟ ଅନେକ କିଛି ଶିଖିଛନ୍ତି। ଏଭଳି ପରିସ୍ଥିତିରେ ଅନନ୍ତ ରିଲାଏନ୍ସ ବୋର୍ଡରେ ସାମିଲ ହେବାକୁ ସକ୍ଷମ ଅଟନ୍ତି।