ପୁଣି ଘୁଞ୍ଚିପାରେ ଫାଶୀ ତାରିଖ ! ନୂଆ କ୍ୟୁରେଟିଭ ପିଟିସନ ଦାଖଲ ପାଇଁ ଅନୁମତି ମାଗିଲା ଦୋଷୀ ମୁକେଶ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀମାନଙ୍କୁ ଆସନ୍ତା ୨୦ ତାରିଖରେ ଫାଶୀ ଦେବାକୁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ପୁଣି ଥରେ ତାହାକୁ ବିଳମ୍ବିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅନ୍ୟତମ ଦୋଷୀ ମୁକେଶ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ପ୍ରାର୍ଥନା ପାଇଁ ଅନୁମତି ମାଗିଛି । ତାର ଏହି ଆବେଦନ ଗ୍ରହଣ କରାଗଲେ ଫାଶୀ ତାରିଖ ପୁଣି ଘୁଞ୍ଚିବା ଆଶଙ୍କା ଦେଖାଦେଇଛି ।

ଏହି ୪ ଜଣ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ସାଢେ ୫ଟାରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀର ଏକ କୋର୍ଟ ଗତକାଲି ଡେଥ ଓ୍ଵାରେଣ୍ଟ ଜାରି କରିଥିଲେ । ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା । ତେବେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହା ପରେ ନୂଆ ଡେଥ ଓ୍ଵାରେଣ୍ଟ ପାଇଁ ଦିଲ୍ଲୀ ସରକାର କୋର୍ଟରେ ଆବେଦନ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାକୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର