ନେତାଜୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ: ଚିତାଭସ୍ମର ଡିଏନ୍‌ଏ ଟେଷ୍ଟକୁ ମୁଖାର୍ଜୀ କମିସନ ଉପେକ୍ଷା କରିଥିଲେ

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ନେଇ ଟୋକିଓର ରେଙ୍କୋଜୀ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ଦ୍ୱାରା ଜାପାନୀ ଭାଷାରେ ଲେଖାଯାଇଥିବା ଏକ ଚିଠିର ନୂତନ ଅନୁବାଦ ପ୍ରକାଶ ପାଇଛି। ଉକ୍ତ ପୁରୋହିତ ନେତାଜୀଙ୍କ ଅସ୍ଥି ଓ ଚିତାଭସ୍ମକୁ ଏକ ପାତ୍ରରେ ସାଇତି ରଖିଥିବା ବିଶ୍ବାସ କରାଯାଏ। ୨୦୦୫ ମସିହାରେ ଉକ୍ତ ଚିତାଭସ୍ମର ଡିଏନ୍ଏ ପରୀକ୍ଷା ପାଇଁ ମନ୍ଦିର ପକ୍ଷରୁ ଅନୁମତି ଦିଆଯାଇଥିବା ଉକ୍ତ ଚିଠିରେ ପୁରୋହିତ ଜଣକ ଲେଖିଥିଲେ। କିନ୍ତୁ ଜଷ୍ଟିସ ଏମ୍.କେ ମୁଖାର୍ଜୀ କମିସନ ଏହାକୁ ଉପେକ୍ଷା କରିଥିଲେ।

ନେତାଜୀଙ୍କ ନିଖୋଜ ସମ୍ପର୍କୀୟ ଜଷ୍ଟିସ୍ ମୁଖାର୍ଜୀ ଆୟୋଗର ଅନ୍ତିମ ରିପୋର୍ଟରେ ଉକ୍ତ ଚିଠିର ଏକ ଇଂରାଜୀ ସଂସ୍କରଣ ସଂଲଗ୍ନ କରାଯାଇଥିଲା। ମନ୍ଦିର କର୍ତ୍ତୃପକ୍ଷଙ୍କ ବିରୋଧ ଯୋଗୁ ଆୟୋଗ ଆଗକୁ (ଡିଏନ୍‌ଏ ପରୀକ୍ଷା ପ୍ରସଙ୍ଗରେ) ବଢ଼ି ପାରିଲା ନାହିଁ ବୋଲି କମିସନ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଡିଏନ୍‌ଏ ଟେଷ୍ଟ ନ କରାଇ ଆୟୋଗ ସିଦ୍ଧାନ୍ତ ନେଇଥିଲେ ଯେ ଉକ୍ତ ଚିତାଭସ୍ମ ନେତାଜୀଙ୍କର ନୁହେଁ ଏବଂ ନେତାଜୀ ରୁଷର ଏକ କାରାଗାରରେ ବନ୍ଦୀ ହୋଇ ରହିଥାଇ ପାରନ୍ତି କିମ୍ବା ସନ୍ନ୍ୟାସୀ ହୋଇ ଯାଇଥାଇ ପାରନ୍ତି।

ନେତାଜୀଙ୍କ ଭାଇ ଶରତ ବୋଷଙ୍କ ନାତୁଣୀ ମାଧୁରୀ ବୋଷ ଗଣମାଧ୍ୟମକୁ କହିଛନ୍ତି ଯେ ମୁଖାର୍ଜୀ ଆୟୋଗର ରିପୋର୍ଟରେ ଅସଙ୍ଗତି ଦେଖିବା ଏବଂ ଜାପାନୀ ଭାଷାରେ ଲେଖାଯାଇଥିବା ଚିଠିର ଅନେକ ପାରାଗ୍ରାଫ୍ ତା’ର ସରକାରୀ ଇଂରାଜୀ ସଂସ୍କରଣରେ ନ ଥିବା ଜାଣିବା ପରେ ସେମାନେ ମୂଳ ଚିଠିର ଜାପାନୀ ଭାଷା ବିଶେଷଜ୍ଞଙ୍କ ଦ୍ବାରା ଅନୁବାଦ କରାଇଛନ୍ତି। ନୂତନ ଅନୁବାଦରୁ ଜଣାପଡିଛି ଯେ ୪୨୭ ବର୍ଷର ପୁରୁଣା ରେଙ୍କୋଜୀ ବୌଦ୍ଧ ମନ୍ଦିରର ମୁଖ୍ୟ ପୁରୋହିତ ନିଚିକୋ ମୋଚିଜୁକି ଉକ୍ତ ଚିଠିରେ ଲେଖିଛନ୍ତି- ‘‘ମୁଁ ପରୀକ୍ଷା ପାଇଁ ସହଯୋଗ କରିବାକୁ ରାଜି ହେଲି। ଗତବର୍ଷ (୨୦୦୪ରେ) (ଜାପାନରେ ଅବସ୍ଥାପିତ) ଭାରତୀୟ ରାଷ୍ଟ୍ରଦୂତ ଏମ୍‌ଏଲ୍‌ ତ୍ରିପାଠୀଙ୍କ ସହିତ ହୋଇଥିବା ବୈଠକରେ ବି ସମାନ ନିଷ୍ପତ୍ତି ହୋଇଥିଲା।’ କମନ୍‌ୱେଲ୍‌ଥ ସଚିବାଳୟରେ ତଥା ମିଳିତ ଜାତିସଂଘରେ କାର୍ଯ୍ୟ କରୁଥିବା ମାଧୁରୀ ବୋଷ କହିଛନ୍ତି ଯେ ଜାପାନୀ ମନ୍ଦିରର ଏହି ଅନୁମତି ପୂର୍ବରୁ କାହିଁକି ସାର୍ବଜନୀନ କରାଯାଇ ନ ଥିଲା କିମ୍ବା ଡିଏନ୍ଏ ପରୀକ୍ଷା କାହିଁକି କରାଯାଇ ନାହିଁ ତାହା ସେ ବୁଝିପାରୁ ନାହାନ୍ତି। କୌଣସି ଅଜ୍ଞାତ କାରଣରୁ ମୁଖାର୍ଜୀ କମିସନ ତାଙ୍କ ପରିବାରକୁ ତଥା ଦେଶକୁ ପ୍ରତାରଣା କରିଛନ୍ତି। ଜାପାନୀ ମନ୍ଦିର ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଡିଏନ୍ଏ ପରୀକ୍ଷା କରାଇବାକୁ ଚାହୁଁଥିଲା ବେଳେ ଆଜିଯାଏ ଭାରତ ତାହା କଲା ନାହିଁ।

ସମ୍ବନ୍ଧିତ ଖବର