ଅବଧେଶ ରାୟ ହତ୍ୟା ମାମଲା : ଆଜୀବନ ଜେଲରେ ରହିବ ମାଫିଆ ମୁଖତାର ଅନସାରୀ

ବାରାଣାସୀ: ବାରଣାସୀର ‘ଏମପି-ଏମଏଲଏ କୋର୍ଟ’ ଅବଧେଶ ରାୟ ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି। ଏହି ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ୩୨ ବର୍ଷ ୧୦ ମାସ ପରେ ଏହି ରାୟ ଆସିଛି।

୧୯୯୧ ମସିହା ଅଗଷ୍ଟ ୩ ତାରିଖରେ ବାରଣାସୀର ଲହୁରାବୀର ଅଞ୍ଚଳରେ ସଶସ୍ତ୍ର ଦୁର୍ବୃତ୍ତମାନେ ଅବଧେଶ ରାୟଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ମାମଲାରେ ମୁଖତାର ଅନସାରୀ ମୁଖ୍ୟ ଅଭିଯୁକ୍ତ ଥିଲା । ଅବଧେଶଙ୍କ ଭାଇ ଅଜୟ ରାୟ ଏହି ମାମଲା ରୁଜୁ କରିଥିଲେ ।

ମୁଖତାର ଉପରେ କୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି କୋର୍ଟ ପରିସରରେ ବାରଣାସୀର ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହା ପୂର୍ବରୁ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ଅଦାଲତ ଗତ ୧୯ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଜୁନ୍ ୫ତାରିଖରେ ଦଣ୍ଡାଦେଶ ଶୁଣାଇବେ ବୋଲି କୋର୍ଟ କହିଛନ୍ତି। ଅଜୟ ରାୟ ନିଜ ଏତଲାରେ ମୁଖତାର ଅନସାରୀ, ଭୀମ ସିଂହ ଏବଂ ପୂର୍ବତନ ବିଧାୟକ ଅବଦୁଲ କରିମଙ୍କ ନାମ ଉଲ୍ଲେଖ କରିଥିଲେ ।

ଗତ ଏକ ବର୍ଷ ମଧ୍ୟରେ ମୁଖତାରକୁ ୪ଟି ମାମଲାରେ ଦଣ୍ଡାଦେଶ ଦିଆଯାଇଛି । ତେବେ ଅବଧେଶ ହତ୍ୟାକାଣ୍ଡ ହେଉଛି ତା ନାଁରେ ଥିବା ସବୁଠାରୁ ସଂଗୀନ ଅପରାଧ ।

ସମ୍ବନ୍ଧିତ ଖବର