ଶୁଖିଲା ରୁଟି ଖାଇ ହେଉନାହିଁ, କୁରକୁରେ ଆଉ ବିସ୍କୁଟ ଖାଇବାକୁ ଦିଆଯାଉ: ମୁଖତାର

ଲଖନଉ: ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଭାବେ ଥିବା ମାଫିଆ ଡନ୍ ମୁଖତାର ଅନସାରୀ ଖାଦ୍ୟ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଏ ବାବଦରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ବେଳେ ସେ କୋର୍ଟରେ ନିବେଦନ କରିଛି ଯେ ତାଙ୍କୁ ଜେଲରେ କୁରକୁରେ ଏବଂ ବିସ୍କୁଟ ଖାଇବାକୁ ଦିଆଯାଉ | କୁରକୁରେ ଏବଂ ବିସ୍କୁଟ କିଭଳି ମିଳିପାରିବ, ସେନେଇ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛି | ବାସ୍ତବରେ, ବାହୁବଳୀ ମୁଖତାର ଅନସାରୀ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏକ ମାମଲାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲା । ଆଉ ଏହି ସମୟରେ ବିଚାରପତି କମଳାକାନ୍ତ ଶ୍ରୀବାସ୍ତବଙ୍କ ସମ୍ମୁଖରେ ମୁଖତାର ଅନସାରୀ ଖାଦ୍ୟ ସମସ୍ୟା ନେଇ ନିବେଦନ କରିଥିଲା । ଜେଲରେ ଶୁଖିଲା ରୁଟି ଖାଇ ଖାଇ ସେ ଥକି ଯାଇଥିବାର କହିବା ସହ କ୍ରଞ୍ଚି କୁରକୁରେ ଓ ସ୍ୱାଦିଷ୍ଟ ବିସ୍କୁଟ ପଠାଇବାକୁ ନିବେଦନ କରିଥିଲା | ମୁଖତାର ନିବେଦନ କରିଥିଲା ଯେ ମୋର ଓକିଲ ନସିମ ହାୟଦାରଙ୍କ ମାଧ୍ୟମରେ ଫଳ ସହ ଅନ୍ୟ ଖାଦ୍ୟ ସାମଗ୍ରୀ ପଠାଇବାର ବ୍ୟବସ୍ଥା କରାଯାଉ ବୋଲି ନିବେଦନ କରିଥିଲା |

ଯାହା ଶୁଣି ବିଚାରପତି ମଧ୍ୟ ହସିଥିଲେ। ଉଲ୍ଲେଖ ଥାଉ କି ଯେ ପୂର୍ବ ଶୁଣାଣିରେ ମଧ୍ୟ ମୁଖତାର ଅନସାରୀ କଦଳୀ ଏବଂ ସ୍ୱାଦିଷ୍ଟ ଆମ୍ବ ମାଗିଥିଲେ | ଯାହାକୁ କୋର୍ଟ ଅନୁମତି ଦେବା ପରେ ତାଙ୍କୁ ଦିଆଯାଇଥିଲା | ଅନ୍ୟପକ୍ଷରେ ଶୁଣାଣି ସମୟରେ ମୁଖତାର ଅନସାରୀ ଏହା ମଧ୍ୟ କହିଛି ଯେ ବାନ୍ଦା ଜେଲରେ ତାଙ୍କ ଉପରେ ବହୁତ କଠୋର ବ୍ୟବହାର କରାଯାଉଛି | ମେ ୧୯ରେ, ଜିଲ୍ଲାପାଳ-ଏସପି ତା ପ୍ରକୋଷ୍ଠରେ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକୁ ନେଇ ଯାଇଥିଲେ | ସେହିପରି ମୁଖତାରର ଓକିଲ ରଣଧୀର ସିଂ ସୁମନ ବିଚାରପତିଙ୍କୁ କହିଥିଲେ ଯେ ରାଜ୍ୟ ସରକାର ମୁଖତାର ଅନସାରୀଙ୍କୁ ଖାଦ୍ୟ ଯୋଗାଉ ନାହାଁନ୍ତି। ମୁଖତାର ବର୍ତ୍ତମାନ ବୃଦ୍ଧ ଓ ଅସୁସ୍ଥ ଥିବାରୁ ସେଥିପାଇଁ ତାଙ୍କୁ ଘରର ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉ ବୋଲି କୋର୍ଟରେ ଆବେଦନ କରିଛନ୍ତି। ଏନେଇ ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି | ଆସନ୍ତା ୫ ତାରିଖରେ ଏହି ମାମଲାର ରାୟ ପ୍ରକାଶ ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର