ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କର ଗୁରୁବାର ରାତିରେ ବାନ୍ଦା ଜେଲ୍‌ରେ ହୃଦ୍‌ଘାତ ମୃତ୍ୟୁକୁ ନେଇ ବଡ଼ ଧରଣର ବିବାଦ ହୋଇଛି। ମୁଖତାରଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଏହାକୁ ନେଇ ଉତ୍ତେଜନା ବଢ଼ିଛି। ସାଂପ୍ରଦାୟିକ ଉତ୍ତେଜନା ଦୃଷ୍ଟିରୁ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ହାଇଆଲର୍ଟ ଜାରି କରିଛନ୍ତି। ମୁଖତାରଙ୍କ ପ୍ରଭାବ ରହିଥିବା ମଉ ଏବଂ ଗାଜିପୁରରେ ଧାରା ୧୪୪ ଜାରି ହୋଇଛି। ଗାଜିପୁରରେ ହିଁ ମୁଖତାରଙ୍କ ଶେଷକୃତ୍ୟ ହେବାକୁ ଥିବାରୁ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜେଲ୍‌ରେ ହିଁ ପୂର୍ବତନ ବିଧାୟକଙ୍କୁ ବିଷ ଦିଆଯାଇଛି ବୋଲି ତାଙ୍କ ପୁଅ ଓ ଭାଇ ଅଭିଯୋଗ କରିଥିବାର ଏହାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜେଲ୍‌ରେ ଥିବା ମୁଖତାରଙ୍କ ପୁଅ ଅବ୍ବାସ ଅନସାରୀ ପିତାଙ୍କ ‌େଶଷକୃତ୍ୟରେ ସାମିଲ ହେବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।ସୂଚନାଯୋଗ୍ୟ, ମଉରୁ ୫ ଥର ବିଧାୟକ ହୋଇଥିବା ମୁଖତାର ଅନସାରୀଙ୍କ ନାମରେ ୬୦ରୁ ଅଧିକ ଅପରାଧିକ ମାମଲା ରହିଛି। ଆଜି ଆସିଥିବା ପୋଷ୍ଟ୍‌ମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ମୁଖତାରଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଛି।

Advertisment

ମୁଖତାରଙ୍କ ମୃତ୍ୟୁ ସହ ଆମକୁ ନ୍ୟାୟ ମିଳିଛି, କୃଷ୍ଣାନନ୍ଦଙ୍କ ପତ୍ନୀଙ୍କ ବୟାନ

ବାରାଣସୀ: ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ଦ୍ୱାରା ନିହତ ହୋଇଥିବା ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ପତ୍ନୀ ଅଳକା ରାୟ ଶୁକ୍ରବାର କହିଛନ୍ତି ଯେ ମୁଖତାରଙ୍କ ମୃତ୍ୟୁ ସହ ତାଙ୍କ ପରିବାରକୁ ନ୍ୟାୟ ମିଳିଛି। ‘ଏହା ହେଉଛି ପରମେଶ୍ବରଙ୍କ ଆଶୀର୍ବାଦ। ମୁଁ ନ୍ୟାୟ ପାଇଁ ତାଙ୍କ ନିକଟରେ ପ୍ରାର୍ଥନା କରୁଥିଲି ଏବଂ ଆଜି ତାହା ପୂରଣ ହୋଇଛି। ଆମ ଉପରେ ଯୋଗୀଜୀଙ୍କ (ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ) ଆଶୀର୍ବାଦ ରହିଛି’ ବୋଲି ସେ କହିଛନ୍ତି। ସ୍ୱାମୀଙ୍କ ହତ୍ୟା ପରେ ସେମାନେ କେବେ ହୋଲି ପାଳନ କରିନଥିବା ଅଳକା କହିଛନ୍ତି। ‘ପୃଥିବୀରୁ ଜଣେ ଅପରାଧୀକୁ ହଟାଇ ଦିଆଯିବା ବହୁତ ବଡ଼ ଖୁସିର କଥା’ ବୋଲି ସେ କହିଛନ୍ତି।