ନୂଆଦିଲ୍ଲୀ: ଉତ୍ତର ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକୁ ପ୍ରତିଷ୍ଠିତ କରାଇବାରଐତିହାସିକ ପ୍ରକ୍ରିୟା କ୍ଷେତ୍ରରେ ଉଚ୍ଚତାରେ ସାନ ଏବଂ ରାଜନୈତିକ ଯାତ୍ରାରେ ସୁଉଚ୍ଚ ପରିଶ୍ରମୀ ତଥା ଚତୁର ମୁଲାୟମ୍ ସିଂହ ଯାଦବଙ୍କ ଅବଦାନ ଅବିସ୍ମରଣୀୟ।

Advertisment

ପଛୁଆ ବର୍ଗ ବିଶେଷକରି ଯାଦବମାନଙ୍କ ପାଇଁ ସେ ‘ଧର୍‌ତୀପୁତ୍ର’। ସ୍କୁଲ୍‌ରେ ପଢ଼ିବା ବେଳେ ଜଣେ ଦଳିଦ ବାଳକକୁ ରକ୍ଷା କରିବାକୁ ଯାଇ ମୁଲାୟମ୍ ଏକାକୀ ଦଳେ ଉଚ୍ଚଜାତିର ପିଲାଙ୍କୁ ପିଟିଥିଲେ। ସେଥିପାଇଁ ତାଙ୍କର ଶ୍ରେଣୀସାଥୀ ଓ ତଳ ଶ୍ରେଣୀର ପିଲାମ‌ାନେ ଆଜି ପର୍ଯ୍ୟନ୍ତ ତାଙ୍କୁ ‘ଦାଦା ଭୈୟା’ ବୋଲି ଡାକୁଥିଲେ।

ଥରେ ଜଣେ ସାମ୍ବାଦିକଙ୍କ ସହିତ କାର୍‌ରେ ବସି ଯାଉଥିବା ବ‌େଳେ ମୁଲାୟମ୍‌ କହିଥିଲେ, ପ୍ରାୟ ୩୩ ବର୍ଷ ତଳେ ବର୍ଷାଋତୁରେ କଲେଜ ଯିବା ବାଟରେ ପଡୁଥିବା ନାଳ ପାରିହୋଇ ମୁଖ୍ୟ ରାସ୍ତାକୁ ଉଠିବା କଥା କହିଥିଲେ। ଅନ୍ତର୍ବାସ ଛାଡ଼ି ସେ ବାକି ପୋଷାକପତ୍ର ଓହ୍ଲାଇ ଖଣ୍ଡେ ଜରିରେ ପୂରାଇ ନାଳ ପାରି ହେଉଥିଲେ। ସେପାରିରେ ଗୋଟାଏ ହ୍ୟାଣ୍ଡ୍‌ପମ୍ପ୍‌ ପାଖରେ ଗାଧୋଇବା ପରେ ପୁଣି ପୋଷାକପତ୍ର ପିନ୍ଧୁଥିଲେ।

ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ଅବସ୍ଥିତ ସୈଫଇ ଗାଁରେ ଏକ ସାଧାରଣ ପରିବାରେ ୧୯୩୯ ନଭେମ୍ବର ୨୨ ଜନ୍ମିଥିବା ମୁଲାୟମ୍‌ ଯେଉଁ କଲେଜରେ ପାଠ ପଢ଼ିଥିଲେ ସେଠାରେ ତାଙ୍କୁ ଶିକ୍ଷକ ଚାକିରି ମିଳିଥିଲା। ପରେ ସେ ଚାକିରି ଛାଡ଼ି ରାଜନୀତିରେ ମିଶିବାର ବହୁ ବର୍ଷ ପରେ ସମାଜବାଦୀ ପାର୍ଟି ନାମରେ ନିଜସ୍ବ ରାଜନୈତିକ ଦଳ ଗଠନ କରିଥିଲେ।

publive-image Image Courtesy of India Today

ରାସ୍ତାକଡ଼ରେ ଥିବା ଗୋଟାଏ ବରଗଛକୁ ଦେଖାଇ ସେ କହିଥିଲେ ଯେ, ସାଇକେଲ୍‌କୁ କାନ୍ଧେଇ ସେ ଏଇ ଗଛରେ ଚଢୁଥିଲେ। ଗଛଡାଳରେ ଗୋଟାଏ ଶିକୁଳିରେ ସାଇକେଲ୍‌କୁ ବାନ୍ଧି ଦେଉଥିଲେ। ଅଧିକାଂଶ ସେ ବରଗଛରେ ଚଢ଼ିପାରୁ ନ ଥିବାରୁ ସାଇକେଲ୍‌କୁ ନିରାପଦ ରଖିବାକୁ ଥିଲା ତାଙ୍କର ଏ ଉଦ୍ୟମ। ହସି ପକାଇ ସେ କହିଥିଲେ, ସେତେବେଳେ ଦେହରେ ବଳ ଥିଲା। କର୍‌ହାଲ୍‌ରେ ଜଣେ ରାଜ୍ୟସ୍ତରୀୟ ମଲ୍ଲବୀରଙ୍କୁ ହରାଇ ଦେଇଥିଲି।

୧୯୬୨ରେ ନାଲା ଅମ୍ବେର୍‌ରେ ଗୋଟାଏ କୁସ୍ତି ଖେଳ‌ରେ ‘ପ୍ରଜା ସୋସିଆଲିଷ୍ଟ୍‌ ପାର୍ଟି’ର ପ୍ରଭାବଶାଳୀ ନେତା ନାଥୁ ସିଂହ ମୁଲାୟମ୍‌ଙ୍କୁ ଦେଖିଥିଲେ। ପରେ ସେ ହେଲେ ତାଙ୍କର ରାଜନୈତିକ ଗୁରୁ। ସେ ହିଁ, ମୁଲାୟମ୍‌ଙ୍କୁ ସମାଜବାଦୀ ରାମ ମନୋହର ଲୋହିଆଙ୍କ ସହିତ ଭେଟାଇଥିଲେ। ୧୯୬୭ରେ ମୁଲାୟମ୍‌ଙ୍କୁ ଯଶବନ୍ତ ନଗର ଆସନରୁ ପ୍ରାର୍ଥୀ କରାଯାଇଥିଲା। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ କଂଗ୍ରେସ ନେତା, ଓକିଲ ତଥା ସ୍ବାଧୀନତା ସଂଗ୍ରାମୀ ଲଖନ୍‌ ସିଂହ। କିନ୍ତୁ, ଚତୁର ମୁଲାୟମ୍‌ ଘରକୁ ଘର ବୁଲି ପ୍ରଚାର କରି ଉକ୍ତ ନିର୍ବାଚନରେ ୧.୦୩ ଲକ୍ଷ ଭୋଟ୍‌ ହାସଲ କରି ବିଜୟୀ ହୋଇଥିଲେ।

୧୯୭୦ ବେଳକୁ ମୁଲାୟମ୍‌ଙ୍କ ରାଜନୈତିକ ଆଦର୍ଶ ହେଲେ ଚୌଧୁରୀ ଚରଣ ସିଂହ ଓ ତାଙ୍କ ଦଳ ‘ଲୋକଦଳ’।

୧୯୯୧ରେ ‘ବିଜେପି’ ନେତୃତ୍ବାଧୀନ କରସେବକମାନେ ଅଯୋଧ୍ୟାସ୍ଥିତ ବିବାଦୀୟ ବାବ୍ରି ମସ୍‌ଜିଦ୍‌ ଅଭିମୁଖେ ପଦଯାତ୍ରା କରିବାକୁ ଧମକ ଦେବା ବେଳେ ‘ଟାଇମ୍‌’ ପତ୍ରିକା ସହିତ କରିଥିବା ସାକ୍ଷାତ୍‌କାରରେ ମୁଲାୟମ୍‌ କହିଥିଲେ, ମୁଁ ମଲେ ଯାଇ ମସ୍‌ଜିଦ୍‌ ଉପରେ ଆକ୍ରମଣ ହେବ। କରସେବକଙ୍କୁ ଗୁଳି ମାରିବା ଲାଗି ସେ ଆଦେଶ ଦେଇ ସେ ‘ମୁଲ୍ଲା ମୁଲାୟମ୍‌’ (ଶ୍ରଦ୍ଧା ନାମ) ହୋଇଥିଲେ।

publive-image Image Courtesy of India Today

ଦଳୀୟ ଓ ପରିବାର ଲୋକେ ତାଙ୍କୁ ‘ନେତାଜୀ’ ବୋଲି ସମ୍ବୋଧନ କରୁଥିବା ବେଳେ ତାଙ୍କ ଆଦେଶ ଅନୁଯାୟୀ କାମ ନ କରି ଅସୁବିଧାରେ ପଡୁଥିବା ଅମଲାମାନେ ତାଙ୍କୁ ‘ନାନୋ ନେପୋଲିୟନ୍’ (ଟିକି ନେପୋଲିୟନ୍‌) ଡାକୁଥିଲେ।

ମୁଲାୟମ୍‌ଙ୍କର କେତେକ ନିନ୍ଦୁକ ସେ କରିଥିବା ବିଶ୍ବାସଘାତକତାର କଥା କହନ୍ତି। ଜୀବନ ଓ ରାଜନୀତିରେ ମୁଲାୟମ୍‌ କରିଥିବା ଅନେକ ବିଶ୍ବାସଘାତକତାର ଦୀର୍ଘ ତାଲିକା ତାଙ୍କର ବନ୍ଧୁମାନଙ୍କ ପାଖରେ ଅଛି। କ୍ଷମତା ପାଇଁ ଆବଶ୍ୟକସ୍ଥଳେ ନୀତିନିୟମରୁ ଓହରି ଯାଉଥିବାରୁ କେତେକ ତାଙ୍କୁ ସୁବିଧାବାଦୀ ଆଞ୍ଚଳିକ ନେତା ଭାବେ ଅଭିହିତ କରନ୍ତି।

କିନ୍ତୁ, ସାମଗ୍ରିକ ଭାବେ ଦେଖିବାକୁ ଗଲେ, ଉତ୍ତର ପ୍ରଦେଶ ଭଳି ରାଜ୍ୟର ଜଟିଳ ରାଜନୀତିରେ ଜଣେ ରାଜନେତା ଭାବେ ସେ ମାଡ଼ ମାରିଛନ୍ତି ଓ ମାଡ଼ ଖାଇଛନ୍ତି ମଧ୍ୟ। ମୁଲାୟମଙ୍କ ପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତି ଥିଲା ଉଚ୍ଚଜାତି ବ୍ୟକ୍ତିଙ୍କ ଖେଳପଡ଼ିଆ। କିନ୍ତୁ, ଏ ଧାରା ପରିବର୍ତ୍ତନକାରୀ ଥିଲେ ‘ଓବିସି’ ଏବଂ ‘ଏମ୍‌ବିସି’। ଆଜି ମଧ୍ୟ ଉପରୋକ୍ତ ଜାତିର ଜନସାଧାରଣ ଉତ୍ତର ପ୍ରଦେଶ ଜରିଆରେ ଭାରତୀୟ ରାଜନୀତିକୁ ଓଲଟପାଲଟ କରିଦେଇଥିବା ମୁଲାୟମ୍‌ଙ୍କ ପ୍ରତି କୃତଜ୍ଞ ଅଟନ୍ତି।