କରହାଲ୍ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ହାଇ ପ୍ରୋଫାଇଲ୍ ନେତାମାନେ ଏବେ ଉତ୍ତରପ୍ରଦେଶରେ ରୢାଲି ଏବଂ ରୋଡ୍ସୋ କରୁଛନ୍ତି। ସମାଜାବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଗୁରୁବାର ଦିନ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶର କରହାଲ୍ରେ ଏକ ନିର୍ବାଚନ ରାଲି କରିଛନ୍ତି। ମୁଲାୟମ ପୁଅ ଅଖିଳେଶ ଯାଦବଙ୍କ ପାଇଁ ଭୋଟ୍ ମାଗିଛନ୍ତି। ଦଳ ଲୋକଙ୍କ ଆଶା ପୂରଣ କରିପାରିବ ବୋଲି ସେ ତାଙ୍କ ଉଦ୍ବୋଧନରେ କହିଛନ୍ତି।
ୟୁପିର ବିକାଶ ନେଇ ସମାଜବାଦୀ ପାର୍ଟିର ନୀତି ସର୍ବଦା ସ୍ପଷ୍ଟ ବୋଲି ସେ କହିଛନ୍ତି। ଅଖିଳେଶଙ୍କୁ ଭୋଟ୍ ଦେବାପାଇଁ ମୁଲାୟମ ଲୋକମାନଙ୍କୁ ନିବେଦନ କରିଛନ୍ତି। ୟୁପିରେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସରିଛି। ଆସନ୍ତା ୨୦ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଫେବ୍ରୁଆରି ୨୦ରେ କରହାଲ୍ରେ ମଧ୍ୟ ଭୋଟ୍ ଅଛି। ବିଜେପି ଏହି ଆସନରେ ଅଖିଳେଶଙ୍କ ବିରୋଧରେ ଏସ୍ପି ସିଂହ ବାଘେଲଙ୍କୁ ପ୍ରାର୍ଥୀ କରିଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବାଘେଲଙ୍କ ସହ ରୢାଲି କରିଛନ୍ତି।