ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ସମାଜବାଦୀ ପାର୍ଟି (ସପା)କୁ ବଡ଼ ଝଟ୍କା ଲାଗିଛି। ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ସିଂହ ଯାଦବ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଉପସ୍ଥିତିରେ ଅପର୍ଣ୍ଣା ବିଜେପିରେ ମିଶିଛନ୍ତି। ଅପର୍ଣ୍ଣା ବିଜେପିରେ ସାମିଲ ହେବାମାତ୍ରେ ସପା ସୁପ୍ରିମୋ ଅଖିଳେଶ ଯାଦବ ଏବଂ ତାଙ୍କ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ସପା ଶାସନରେ କେବଳ ଗୁଣ୍ଡା ଓ ବାହୁବଳିମାନଙ୍କୁ ପ୍ରାଧାନ୍ୟ ମିଳୁଛି ଏବଂ ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି ବୋଲି ଅପର୍ଣ୍ଣା କହିଛନ୍ତି। ସେ କହିଛନ୍ତି ଦେଶ ବିରୋଧୀ ଶକ୍ତିମାନଙ୍କୁ କୌଣସି ସ୍ଥିତିରେ ବି ପ୍ରୋତ୍ସାହନ ଦିଆଯିବା ଉଚିତ ନୁହେଁ। ମୋ ପାଇଁ ରାଷ୍ଟ୍ର ହିଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତେଣୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ପ୍ରଭାବିତ ବୋଲି ଅପର୍ଣ୍ଣା କହିଛନ୍ତି। ଲକ୍ଷ୍ନୌ କେଣ୍ଟ ଆସନରୁ ଅପର୍ଣ୍ଣା ନିର୍ବାଚନ ଲଢ଼ିପାରନ୍ତି। ପୂର୍ବରୁ ମଧ୍ୟ ସେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ପ୍ରଂଶସା କରିଥିଲେ। ଅପର୍ଣ୍ଣାଙ୍କ ବିଜେପିରେ ଯୋଗଦାନ ପାଇଁ ଅଖିଳେଶ ଯାଦବ ତାଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି। ସମାଜବାଦୀ ଆଦର୍ଶକୁ ସେ ପ୍ରଚାର ପ୍ରସାର କରୁଛନ୍ତି ବୋଲି ଅଖିଳେଶ କଟାକ୍ଷ କରି କହିଛନ୍ତି। ନିର୍ବାଚନରେ ଅଖିଳେଶ ପ୍ରାର୍ଥୀ ହେବେ ବୋଲି ଆଜି ସଙ୍କେତ ଦେଇଥିଲେ ବି ଏହା ସ୍ପଷ୍ଟ ହୋଇନାର୍ହି।
ସିଡିଏସ୍ ରାୱତଙ୍କ ଭାଇ ବିଜେପିରେ
ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଭାଇ କର୍ଣ୍ଣେଲ (ଅବସରପ୍ରାପ୍ତ) ବିଜୟ ରାୱତ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣେଲ ରାୱତ ବିଜେପିରେ ଯୋଗଦେବା ବେଶ୍ ଗୁରୁତ୍ବ ବହନ କରୁଛି। ପ୍ରଧାନମନ୍ତ୍ରୀଙ୍କର ଉତ୍ତରାଖଣ୍ଡର ବିକାଶ ପ୍ରତି ସ୍ବତନ୍ତ୍ର ନଜର ରହିଛି ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି ବୋଲି ରାୱତ କହିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବିଜୟ ରାୱତଙ୍କୁ ଦଳରେ ସ୍ବାଗତ କରି କହିଛନ୍ତି ଯେ କର୍ଣ୍ଣେଲ ରାୱତଙ୍କ ଯୋଗଦାନରେ ଅମେ ଉତ୍ସାହିତ।