ନୂଆଦିଲ୍ଲୀ: ତାଲିବାନମାନେ ମୁଲ୍ଲା ଅବଦୁଲ ଗନି ବରାଦରଙ୍କୁ ତାଙ୍କର ନେତାଭାବେ ଘୋଷଣା କରିପାରନ୍ତି। ଗତ ତିନି ବର୍ଷ ହେଲା ସର୍ବସାଧାରଣରେ ତାଲିବାନ ଚେହେରା ଭାବେ ପରିଚିତ ରହିଛନ୍ତି। ନିକଟରେ ସେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବିଶ୍ବର ଅନ୍ୟ ପ୍ରମୁଖ ଦେଶଗୁଡ଼ିକ ସହିତ ତାଲିବାନର ମୁଖ୍ୟ ଅନ୍ତର୍ଜାତୀୟ ମୁଲଚାଲ ଅଧିକାରୀଭାବେ କାର୍ଯ୍ୟ କରିଛନ୍ତି। ତେଣୁ ଭାରତକୁ ପ୍ରଭାବିତ କରୁଥିବା ଭଳି ନୀତି ପ୍ରସ୍ତୁତି ପ୍ରତି ତାଙ୍କର ଆଭିମୁଖ୍ୟ ଆଗାମୀ ଦିନରେ କ'ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସରକାରରେ ବରାଦର ଅଗ୍ରଣୀ ଭୂମିକା ଗ୍ରହଣ କରିଲେ ମଧ୍ୟ ଶେର ମହମ୍ମଦ ଷ୍ଟେନକେଜାଇ ଏବଂ ସିରାଜୁଦ୍ଦିନ ହକ୍କାନୀଙ୍କୁ ମଧ୍ୟ ଅନେକ କିଛି କ୍ଷମତା ଦିଆଯିବାର ସମ୍ଭାବନା ରହିଛି। ୧୯୬୮ ମସିହାରେ ଉରୁଜଗାନ୍ ପ୍ରଦେଶରେ ମୁଲ୍ଲା ବରାଦର ଜନ୍ମ ହୋଇଥିଲେ। ପାପାଲଜାଇ ଆଦିବାସୀ ସଂପ୍ରଦାୟରୁ ସେ ଆସିଥିବାରୁ ଆଦିବାସୀମାନଙ୍କର ବିଶ୍ବସ୍ତତା ତାଙ୍କ ପ୍ରତି ରହିଛି। ମୁଲ୍ଲା ଓମାରଙ୍କ ନିକଟତମ ବ୍ୟକ୍ତିଙ୍କ ମଧ୍ୟରେ ସେ ଅନ୍ୟତମ। ୧୯୯୬ରୁ ୨୦୦୧ ମଧ୍ୟରେ ସେ ତାଲିବାନ ସରକାରରେ ପ୍ରତିରକ୍ଷା ଉପମନ୍େ କାର୍ଯ୍ୟ କରିଥିଲେ। ଆମେରିକା ୨୦୦୧ ମସିହାରେ ଆଫଗାନିସ୍ତାନ ଆକ୍ରମଣ କରିଥିଲା। ସେହି ସମୟରେ ବରାଦର ପାକିସ୍ତାନକୁ ପଳାଇଥିଲେ। ସେଠାରେ ରହି ସେ ଆଫଗାନିସ୍ତାନ ଉପରେ ଆମେରିକା ଆକ୍ରମଣକୁ ବିରୋଧ କରିଥିଲେ। ରାହାବାରି ଶୁରା ମୁଖ୍ୟ ହୋଇ ପରିଚାଳନା ସଂପର୍କିତ ନିଷ୍ପତ୍ତି ନେଉଥିଲେ। କିନ୍ତୁ ୨୦୧୦ରେ ପାକିସ୍ତାନ ତାଙ୍କୁ ଗିରଫ କରି ୮ ବର୍ଷା କାଳ ଜେଲ୍ରେ ରଖିଥିଲା। ସେ ଆମେରିକା ଏବଂ କାରଜାଇଙ୍କ ସହିତ ରାଜିନାମା ଚଳାଇଥିବା ସନ୍ଦେହରେ ପାକିସ୍ତାନ ଏଭଳି କାର୍ଯ୍ୟ କରିଥିଲା। ତାଲିବାନରେ ସେ ଜଣେ ମଧ୍ୟମପନ୍ଥୀଭାବେ ଜଣାଶୁଣା।
୨୦୧୮ ମସିହାରେ ଆମେରିକାର ପ୍ରରୋଚନାରେ ପାକିସ୍ତାନ ତାଙ୍କୁ ଛାଡ଼ିଥିଲା ଏବଂ ସେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିଥିଲେ। ଆଲୋଚନାର ଅଗ୍ରଭାଗରେ ବରାଦର ରହିଥିଲେ। ତେଣୁ ଆଲୋଚନା ସମୟରେ ତାଙ୍କୁ ଅନ୍ୟ ଦେଶଗୁଡ଼ିକର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସେ ଦୃଷ୍ଟିରୁ ଭାରତ ପ୍ରତି ତାଙ୍କର ଆଭିମୁଖ୍ୟ ଗମ୍ଭୀର ରହିବ ବୋଲି ଆଶା କରାଯାଉଛି। ତେବେ ୨୦୨୧ରେ ତାଲିବାନ ସରକାରରେ ନେତୃତ୍ବ ନେବା ସମୟରେ ସ୍ବାଧୀନ ନିଷ୍ପତ୍ତି ବୈଠକ ତାଙ୍କ ଅଧ୍ୟକ୍ଷତାରେ ହେବ କିମ୍ବା ଇସଲାମାବାଦ ଉପରେ ସେ ନିର୍ଭରଶୀଳ ରହିବେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ତାଲିବାନ ସବୁ ପ୍ରକାର ବିବୃତି ଦେଉଛି। ଶାରିଆ ଅନୁଯାୟୀ ମଧ୍ୟମ ପନ୍ଥା ଅବଲମ୍ବନ କରିବ ବୋଲି ଗୋଟିଏ ପଟେ କହୁଥିବାବେଳେ ଅନ୍ୟପଟେ କାଶ୍ମୀର ସମେତ ଯେକୌଣସି ମୁସଲିମ ପ୍ରସଙ୍ଗରେ ମୁଣ୍ଡ ଖେଳାଇବ ବୋଲି ବିବୃତି ଦେଉଛି।