ସାଢେ ପାଞ୍ଚ ବର୍ଷ ପରେ ଆଫଗାନିସ୍ତାନ ତାଲିବାନ ବିଭାଜିତ ଦଳର ନେତା ମୁଲ୍ଲା ମହମ୍ମଦ ରସୁଲଙ୍କୁ ମୁକ୍ତ କଲେ ପାକିସ୍ତାନ ସରକାର

ନୂଆଦିଲ୍ଲୀ: ପାକିସ୍ତାନ ସରକାର ଆଫଗାନିସ୍ତାନ ତାଲିବାନ ବିଭାଜିତ ଦଳର ନେତା ମୁଲ୍ଲା ମହମ୍ମଦ ରସୁଲଙ୍କୁ ମୁକ୍ତ କରିଛନ୍ତି। ଆଶ୍ରାଫ ଘାନି ପ୍ରଶାସନର ପତନ ପରେ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବାର କିଛି ଦିନ ପରେ ଏହି ଘଟଣା ଘଟିଛି। ପ୍ରାୟ ସାଢେ ପାଞ୍ଚ ବର୍ଷ ପରେ ପାକିସ୍ତାନ ସରକାର ମୁଲ୍ଲା ମହମ୍ମଦ ରସୁଲଙ୍କୁ ମୁକ୍ତ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ୨୦୧୬ ମାର୍ଚ୍ଚରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଥିବା ବାଲୁଚିସ୍ତାନ ପ୍ରଦେଶରେ ମୁଲ୍ଲା ରସୁଲ(୫୬)ଙ୍କୁ ଗିରଫ କରାଯାଇଥିଲା। ବୁଧବାର ମୁକ୍ତ ହେବା ପୂର୍ବରୁ ସେ ପାକିସ୍ତାନୀ ଜେଲରେ ସାଢେ ପାଞ୍ଚ ବର୍ଷ ବିତାଇଥିଲେ। ତେବେ ଗିରଫ ସମୟରେ ମୁଲ୍ଲା ମହମ୍ମଦ ରସୁଲ ତାଲିବାନ ନେତା ମୁଲ୍ଲା ମହମ୍ମଦ ମନସୁରଙ୍କ କର୍ତ୍ତୃତ୍ବକୁ ପ୍ରତ୍ୟାଖ୍ୟାନ କରିବା ପରେ ତାଲିବାନ ସହ ପ୍ରବଳ ସଂଘର୍ଷ କରିଥିଲେ।

୨୦୧୫ ନଭେମ୍ବରରେ ପଶ୍ଚିମ ଫରାହ ପ୍ରଦେଶରେ ତାଲିବାନୀମାନଙ୍କ ଏକ ବୈଠକରେ ରସୁଲ ଏକ ବିଭାଜିତ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ତେବେ ଏହାର ପ୍ରତିଷ୍ଠାତା ମୁଲ୍ଲା ଓମରଙ୍କ ମୃତ୍ୟୁ ପରେ ଉଭୟ ରସୁଲ ଏବଂ ମନସୁର ତାଲିବାନର ନେତୃତ୍ୱ ନେବା ଲାଗି ଦାବି କରିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ବିବାଦ ଦେଖାଦେଇଥିଲା। ରସୁଲଙ୍କ ନେତୃତ୍ୱରେ ବିଭାଜିତ ଦଳ ଆଫଗାନିସ୍ତାନ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତାକୁ ବିରୋଧ କରିଥିଲା ଏବଂ ମନସୁରଙ୍କୁ ମୁଲ୍ଲା ଓମରଙ୍କ ମୃତ୍ୟୁକୁ ଲୁଚାଇ ରଖିଥିବା ଅଭିଯୋଗ କରିଥିଲା। ତାଲିବାନର ପ୍ରତିଷ୍ଠାତା ଓମର ୨୦୧୩ରେ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥିବା ଜଣାଯାଇଥିଲା। ତେବେ ତାଙ୍କ ମୃତ୍ୟୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିଲା।

ସମ୍ବନ୍ଧିତ ଖବର