ନୂଆଦିଲ୍ଲୀ: ମୁଲ୍ଲାପେରିୟାର ଡ୍ୟାମର ଜଳସ୍ତର ପ୍ରସଙ୍ଗରେ ଆଜି ସୁପ୍ରିମ କୋର୍ଟ ଉଭୟ କେରଳ ଏବଂ ତାମିଲନାଡ଼ୁ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ନିକଟରେ କେରଳରେ ଭୟଙ୍କର ବନ୍ୟା ହୋଇ ଅନେକ ଧନଜୀବନ କ୍ଷତି ହୋଇଥିଲା। ଏହାପରେ ମଧ୍ୟ ଜଳସ୍ତର ପରିଚାଳନା ନେଇ ଦୁଇ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ ଥିବାରୁ ସୁପ୍ରିମ କୋର୍ଟ ସମାଲୋଚନା କରିଛନ୍ତି। ଜଳସ୍ତର ସଂପର୍କରେ ନିଷ୍ପତ୍ତି ନିଅ। ତୁରନ୍ତ ତାହାକୁ କାର୍ଯ୍ୟକାରୀ କର। ଏହା ଲୋକଙ୍କ ଜୀବନ ଓ ସଂପତ୍ତି ପ୍ରସଙ୍ଗ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ମୁଲ୍ଲାପେରିୟାର ଡ୍ୟାମ କେରଳରେ ଥିବାବେଳେ ଏହାର ପରିଚାଳନା ତାମିଲନାଡ଼ୁ କରିଥାଏ। ଦୀର୍ଘଦିନ ହେଲା ଏହି ଡ୍ୟାମକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି।
ଯଦି ସବୁପକ୍ଷ ସେମାନଙ୍କ କାର୍ଯ୍ୟ କରନ୍ତେ ତାହେଲେ ଆମକୁ ଏହି ପ୍ରସଙ୍ଗରେ ପ୍ରବେଶ କରିବାକୁ ପଡ଼ନ୍ତା ନାହିଁ। ସର୍ବୋଚ୍ଚ ଜଳ ସ୍ତର କେତେ ଏବଂ କେବେ ପର୍ଯ୍ୟନ୍ତ ରହିବା ଉଚିତ ତାହା ଆମକୁ ଜଣାଅ ବୋଲି ବିଚାରପତି ଏ ଏମ ଖାନୱିଲକର ଏବଂ ବିଚାରପତି ସି ଟି ରବିକୁମାରଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି। କେରଳର ଉଦ୍ବେଗକୁ ବୁଝି ଶୀଘ୍ର ଆମକୁ ଜବାବ ଦିଅ ବୋଲି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କେରଳ ପକ୍ଷରୁ ଆଜି ସୁପ୍ରିମ କୋର୍ଟରେ ସୂଚନା ଦିଆଯାଇଛି ଯେ, ଡ୍ୟାମରେ ଜଳସ୍ତର ବଢ଼ିଛି। ଲୋକଙ୍କ ଜୀବନ ବିପଦରେ ରହିଛି। ତେଣୁ ଏହି ପ୍ରସଙ୍ଗର ବିଚାର ଶୀଘ୍ର କରାଯିବା ଆବଶ୍ୟକ। ୨୦୧୮ ବନ୍ୟା ବେଳେ ସୁପ୍ରିମ କୋର୍ଟ ଡ୍ୟାମର ଉଚ୍ଚତା ୧୩୯ ଫୁଟରେ ରଖିବା ପାଇଁ କହିଥିଲେ। କିନ୍ତୁ ଏହାକୁ ତୁରନ୍ତ ବଢ଼ାଯିବା ଆବଶ୍ୟକ। ଯଦି ଏହା କରା ନଯାଏ ତାହେଲେ ଡ୍ୟାମର ନିମ୍ନ ଅବବାହିକାରେ ରହୁଥିବା ଲୋକମାନେ ପ୍ରଭାବିତ ହେବେ। ରବିବାର କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଗତ ରବିବାର ଏକ ଚିଠି ଲେଖିଥିଲେ। ଡ୍ୟାମରୁ ଯେଭଳି ସର୍ବାଧିକ ଜଳ ନିଷ୍କାସନ କରାଯାଏ ତାହାକୁ ନିଶ୍ଚିତ କରିବାକୁ ସେ ଚିଠିରେ କହିଥିଲେ। ଜଳଭଣ୍ଡାର ମଧ୍ୟକୁ ବର୍ତ୍ତମାନ ଯେତିକି ଜଳ ପ୍ରବେଶ କରୁଛି ଯଦି ବର୍ଷା ଜାରି ରହେ ତାହେଲେ ଜଳସ୍ତର ୧୪୨ ଫୁଟକୁ ବଢ଼ିପାରେ ବୋଲି କେରଳ ଆଶଙ୍କା କରୁଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/65f4h654sf65h4sf65h4sfhsfhfshfhshfs.jpg)