ୱାଟ୍‌ସନ୍‌ଭାଇଲ୍‌: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ଉତ୍ତରାଞ୍ଚଳସ୍ଥିତ ଏକ ସ୍ଥାନୀୟ ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ୨ଟି ଉଡ଼ନ୍ତା ବିମାନ ପରସ୍ପର ସହ ଧକ୍କା ଖାଇବାରୁ ଅନ୍ୟୂନ ୨/୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

Advertisment

ୱାଟ୍‌ସନ୍‌ଭାଇଲ୍‌ ନଗରୀ ଟୁଇଟ୍‌ ଅନୁସାରେ, ଠିକ୍‌ ଅପରାହ୍ଣ ୩ଟା ପୂର୍ବରୁ ‘ୱାଟ୍‌ସନ୍‌ଭାଇଲ୍‌ ମୁନିସ୍‌ପାଲ୍‌ ଏୟାର୍‌ପୋର୍ଟ’ ଉପରେ କ୍ଷୁଦ୍ର ବିମାନ ଦୁଇଟି ପରସ୍ପର ସହିତ ଧକ୍କା ଖାଇଥିଲେ। ୱାଟ୍‌ସନ୍‌ଭାଇଲ୍‌ ନଗରୀ ମାଲିକାନାରେ ଥିବା ଉକ୍ତ ବିମାନ ବନ୍ଦରରେ ବିମାନ ଅବତରଣ ଏବଂ ଉଡ଼ାଣ ନିମନ୍ତେ ନିର୍ଦେଶ‌ ଦେବାକୁ ‘କଣ୍ଟ୍ରୋଲ୍‌ ଟାୱାର୍‌’ ନାହିଁ।

‘ଫେଡେରେସନ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ କହିବା ଅନୁସାରେ, ଦୁର୍ଘଟଣା ସମୟରେ ଦୁଇଟି ଇଞ୍ଜିନ୍‌ ଥିବା ସେସ୍‌ନା ୩୪୦ ବିମାନରେ ୨ଜଣ ବ୍ୟକ୍ତି ଥିବା ବେଳେ ଗୋଟିଏ ଇଞ୍ଜିନ୍‌ବିଶିଷ୍ଟ ସେସ୍‌ନା ୧୫୨ ବିମାନରେ କେବଳ ଜଣେ ପାଇଲଟ୍‌ ଥିଲେ। ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ବଞ୍ଚିଯାଇଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

publive-image Image Courtesy of The Independence

‘ଫେଡେରେସନ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ୱେବ୍‌ସାଇଟ୍‌ ସୂଚନା ଅନୁସାରେ, ଉପରୋକ୍ତ ବିମାନ ଦୁର୍ଘଟଣା ଯୋଗୁଁ ତଳେ ଥିବା କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ୪ଟି ରନ୍‌ୱେ ଥିବା ଉକ୍ତ ବିମାନ ବନ୍ଦରରେ ୩୦୦ ବିମାନ ରହେ।

ଦୁର୍ଘଟଣା ପରେ ଗୋଟିଏ ବିମାନ ବିମାନ ବନ୍ଦର ନିକଟରେ ଥିବା ଘାସ ପଡ଼ିଆରେ ପଡ଼ିଥିବା ବେଳେ ଅନ୍ୟ ବିମାନଟି ପାଖରେ ଯାଇଥିବା ରାସ୍ତାରେ ଖସିପଡ଼ିଛି। ସାମାଜିକ ଗଣମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ବିମାନ ଦୁଇଟିର ଫଟୋ ଓ ଭିଡିଓ ମଧ୍ୟ ପ‌ୋଷ୍ଟ୍‌ ହୋଇଛି।

‘ଫେଡେରେସନ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ଏବଂ ‘ନ୍ୟାସ୍‌ନାଲ୍‌ ଟ୍ରାନ୍‌ସ୍‌ପ‌ୋର୍ଟ ସେଫ୍‌ଟି ବୋର୍ଡ’ ଦୁର୍ଘଟଣା ସଂକ୍ରାନ୍ତରେ ତଦନ୍ତ କରୁଛନ୍ତି।