ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର କୁର୍ଲା ଅଂଚଳରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଲୋକ ଭଗ୍ନସ୍ତୂପ ତଳେ ଦବି ରହିଛନ୍ତି। ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କୋଠା ଭୁଶୁଡ଼ିବା ସମୟରେ ୬୦ରୁ ଅଧିକ ଲୋକ ସେଠାରେ ଥିଲେ ଏବଂ ୧୨ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଭଗ୍ନସ୍ତୂପ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅହରହ ପ୍ରୟାସ ଜାରି ରହିଛି। କୁର୍ଲାର ନାୟକ ନଗର ସୋସାଇଟିରେ ଥିବା ଏହି ବିଶାଳ କୋଠା ରାତି ପ୍ରାୟ ୧୨ଟା ବେଳେ ଭୁଶୁଡ଼ିଥିଲା। ଆହତମାନଙ୍କୁ ଘାଟକୋପର ଏବଂ ସିଓନର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ, ସୁଭାଷ ଦେଶାଇ ଘଟଣାସ୍ଥଳ ପରିଦର୍ଶନ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ମାଗଣାରେ ଚିକିତ୍ସା କରାଯିବ ବୋଲି ଘୋଷଣା କରାଯାଇଛି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେଶାଇ କହିଛନ୍ତି।
ବୃହନ୍‌ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମ୍‌ସି) ଅତିରିକ୍ତ କମିସନର ଅଶ୍ୱିନୀ ଭିଡ଼େ ଗଣମାଧ୍ୟମକୁ କହିଛନ୍ତି, ୨୦୧୩ ମସିହାରେ ଏହି କୋଠାର ମରାମତି ପାଇଁ ପ୍ରଥମ ନୋଟିସ୍ ଦିଆଯାଇଥିଲା ଏବଂ ପରେ ବିଲ୍ଡିଂ ଖାଲି କରିବାକୁ କୁହାଯାଇଥିଲା। ତଥାପି କିଛି ଲୋକ ଏହି ବିପଦସଙ୍କୁଳ କୋଠାରେ ରହୁଥିଲେ ବୋଲି ସେ କହିଛନ୍ତି।