ମୁମ୍ବାଇ: ଆଉ ଏକ ଟ୍ରେନ୍‌ ସହିତ ଧକ୍କା ଖାଇ ଧାରଣାଚ୍ୟୁତ ହେଲା ପୁଡ୍ଡୁଚେରୀ ଏକ୍ସପ୍ରେସ୍‌ର ୩ଟି ବଗି

ନୂଆଦିଲ୍ଲୀ: ‘ମୁମ୍ବାଇ ସିଏସ୍‌ଏମ୍‌ଟି ଗଡ଼ଗ ଏକ୍ସ୍‌ପ୍ରେସ୍‌’ ସଂଗେ ସାମାନ୍ୟ ଧକ୍କା ଖାଇବା ହେତୁ ଗତ ଶୁକ୍ରବାର ରାତିରେ ମୁମ୍ବାଇର ମାଟୁଙ୍ଗା ଷ୍ଟେସନ୍‌ରେ ‘ଦାଦର-ପୁଡ୍ଡୁଚେରୀ ଏକ୍ସପ୍ରେସ୍‌’ର ୩ଟି ବଗି ଧାରଣାଚ୍ୟୁତ ହୋଇଯାଇଥିବା କଥା ‘କେନ୍ଦ୍ରୀୟ ରେଳବାଇ’ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

କିନ୍ତୁ, ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା କଥା ସେ କହିଛନ୍ତି।

‘ରେଲ୍‌ୱେ ସିପି’ ମଧ୍ୟ କହିଛି, ମାଟୁଙ୍ଗା ରେଳ ଷ୍ଟେସନ୍‌ ନିକଟରେ ‘ଚାଲୁକ୍ୟ ଏକ୍ସ୍‌ପ୍ରେସ୍‌’ ଏବଂ ‘ମୁମ୍ବାଇ ସିଏସ୍‌ଏମ୍‌ଟି ଗଡ଼ଗ ଏକ୍ସ୍‌ପ୍ରେସ୍‌’ ମଧ୍ୟରେ ସାମାନ୍ୟ ଧକ୍କା ହୋଇଛି। ଏଯାବତ୍‌ କେହି ଆହତ ହୋଇଥିବା ରିପୋର୍ଟ ଆସିନାହିଁ। ଉପନଗରୀ ଟ୍ରେନ୍‌ ସବୁ ଚଳାଚଳ କରୁଛି।

Image Courtesy of DNA India

କେନ୍ଦ୍ରୀୟ ରେଳବାଇର ଅତିରିକ୍ତ ଜେନେରାଲ୍‌ ମ୍ୟାନେଜର୍‌ ବି.କେ. ଦାଦାଭୋୟ କହିଛନ୍ତି ଯେ, ଧାରଣାଚ୍ୟୁତ ହୋଇଥିବା ବଗିଗୁଡ଼ିକୁ ସଜାଡ଼ିବା ପାଇଁ ୭/୮ ଘଣ୍ଟା ଲାଗିବ।। କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ସୂତାର କହିଛନ୍ତି ଯେ, ଘଟଣାସ୍ଥଳକୁ ରିଲିଫ୍‌ ଟ୍ରେନ୍‌ ପଠାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ‘୧୧୦୦୫ ଦାଦର୍‌-ପୁଡ୍ଡୁଚେରୀ ଏକ୍ସ୍‌ପ୍ରେସ୍‌ ମାଟୁଙ୍ଗା ଷ୍ଟେସନ୍‌ ପାଖରେ ଧାରଣାଚ୍ୟୁ ହୋଇଥିବା ଖବର ଆମେ ରାତି ପ୍ରାୟ ୯.୪୫ରେ ପାଇଲୁ। କେହି ମୃତାହତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇ ନାହିଁ। ନିରାପତ୍ତା କାରଣରୁ ଆମେ ତୁରନ୍ତ ଉକ୍ତ ଲାଇନ୍‌ ସହ ସଂଲଗ୍ନ ଥିବା ଲାଇନ୍‌ଗୁଡ଼ିକରେ ରେଳ ଚଳାଚଳ ବାତିଲ କରିଛୁ।

ସକାଳ ସୁଦ୍ଧା ଫାଷ୍ଟ୍‌ ଲାଇନ୍‌ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ କରୁଛୁ। ଗାଡ଼ି ଧାରଣାଚ୍ୟୁତ ଘଟଣାର ତଦନ୍ତ ମଧ୍ୟ କରାଯିବ। କାହା ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଲା ତାହା ଏବେ କହିବା ଠିକ୍‌ ହେବନାହିଁ। ତଦନ୍ତ ପରେ କାରଣ ଜଣାପଡ଼ିବ।

ସମ୍ବନ୍ଧିତ ଖବର