ମୁମ୍ବାଇରେ ବର୍ଷା ବିତ୍ପାତ: ଭୂସ୍ଖଳନ ପରେ ଘର ଭାଙ୍ଗି ୩୨ ମୃତ

ମୃତକ ପରିବାରଙ୍କୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାରର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ମୁମ୍ବାଇରେ ବର୍ଷା ବଡ଼ ଧରଣର ବିତ୍ପାତ ଘଟାଇଛି। ପ୍ରବଳ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ଘର ଭୁଶୁଡ଼ି ପଡ଼ିବାରୁ ୩୨ ଜଣଙ୍କର ଜୀବନ ଅକାଳରେ ଚାଲିଯାଇଛି। ବର୍ଷା ଫଳରେ ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇ ରହିଛି। ଏଥିସହିତ ଆର୍ଥିକ ରାଜଧାନୀରେ ଲୋକାଲ୍‌ ଟ୍ରେନ ସେବା ସହିତ ଗାଡ଼ି ଚଳାଚଳ ଅନେକ ମାତ୍ରାରେ ରବିବାର ବ୍ୟାହତ ହୋଇଛି। ପ୍ରବଳ ବର୍ଷା କାରଣରୁ ୱେଷ୍ଟର୍ଣ୍ଣ ରେଲୱେ ଏବଂ ସେଣ୍ଟ୍ରାଲ ରେଲୱେ ପକ୍ଷରୁ କିଛି ସମୟ ପାଇଁ ଲୋକାଲ୍ ଟ୍ରେନ ସେବାକୁ ବନ୍ଦ ରଖାଯାଇଛି। ସେହିଭଳି ଅନେକ ଦୂରଗାମୀ ଟ୍ରେନକୁ ବାଟରେ ଅଟକାଯାଇଛି କିମ୍ବା ନିୟନ୍ତ୍ରିତ କରାଯାଇଛି। ପାହାଡ଼ ତଳେ ଥିବା କେତେକ ଘର ଉପରେ ଭୂସ୍ଖଳନ ହେବାଦ୍ବାରା ୨୨ ଜଣ ଲୋକଙ୍କ ଜୀବନ ଯାଇଛି।

ରାତି ପ୍ରାୟ ଗୋଟାଏରେ ମୁମ୍ବାଇ ମହୁଲ ଅଞ୍ଚଳର ଭରତନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏଥିରେ ୭ ଜଣ ଆହତଙ୍କୁ ସ୍ଥାନୀୟ ରାଜୱାଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିଭଳି ବିକ୍ରୋଲି ଅଞ୍ଚଳରେ ଗୋଟିଏ ଛୋଟ ଘର ଭୂଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ରାତି ପ୍ରାୟ ୨ଟା ୩୦ ମିନିଟରେ ଏହି ଅଘଟଣ ଘଟିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏଥିରେ ୨ ଜଣ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ଷା ବିପର୍ଯ୍ୟୟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ମୁମ୍ବାଇ ବର୍ଷାରେ ଅନେକ ଧନଜୀବନ କ୍ଷତି ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ବ୍ୟକ୍ତ କରିଛନ୍ତି। ଏଥିସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମୁମ୍ବାଇରେ ‌ହୋଇଥିବା ପ୍ରବଳ ବର୍ଷା ମୁମ୍ବାଇବାସୀଙ୍କ ମଧ୍ୟରେ ୨୦୦୫ ମସିହାର ଜୁଲାଇ ୨୬ର ୯୪୪ ମିମି ବର୍ଷା ସ୍ମୃତିକୁ ତାଜା କରିଦେଇଛି। ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। କେତେକ ସ୍ଥାନରେ ପ୍ରବଳ ଏବଂ ଅନ୍ୟ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ଆଜି ସକାଳ ୬ଟା ୩୦ ମିନିଟ୍‌ରୁ ପୂର୍ବ ୧୨ ଘଣ୍ଟା ମଧ୍ୟରେ ୧୨୦ ମିମିରୁ ଅଧିକ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର