ମୁମ୍ବାଇର ସିଏସ୍‌ଏମ୍‌ଟି ନିକଟରେ ଫୁଟ୍‌ ଓଭର ବ୍ରିଜ ଭୁଶୁଡ଼ିବା ଘଟଣା: ୫ ମୃତ

ମୁମ୍ବାଇ: ଦେଶର ବ୍ୟବସାୟିକ ରାଜଧାନୀ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ର ୧ ନମ୍ବର ପ୍ଲାଟଫର୍ମରେ ଗୁରୁବାର ହୋଇଥିବା ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଦୁର୍ଘଟଣା ପରେ ବ୍ରିଜ୍‌ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଅନୁମାନ କରିଛି।

ସେହିପରି ୩୬ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆହତଙ୍କୁ ସେଣ୍ଟ ଜର୍ଜ ଏବଂ ଜିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ କହିଛି ଯେ, ଦୁର୍ଘଟଣାଗ୍ରସ୍ତ ବ୍ରିଜ୍‌ ଛତ୍ରପତି ଶିବାଜୀ ମହାରାଜ ଟିର୍ମିନସ୍‌ ରେଳ ଷ୍ଟେସନ୍‌କୁ ଆଜାଦ ମଇଦାନ ପୁଲିସ ଥାନାକୁ ଯୋଡୁଥିଲା।

ମୁମ୍ବାଇ ପୁଲିସ ଲୋକଙ୍କୁ ଅପିଲ କରିଛି ଯେ, ଦୁର୍ଘଟଣାସ୍ଥଳକୁ ନ ଯାଆନ୍ତୁ। ମୁମ୍ବାଇ ପୁଲିସ୍‌ ଟୁଇଟ୍‌ କରିଛି ଯେ, ସିଏସ୍‌ଟିର ପ୍ଲାଟଫର୍ମ ୧ ନମ୍ବରର ଉତ୍ତର ପାର୍ଶ୍ୱକୁ ଟାଇମସ୍‌ ଅଫ୍‌ ଇଣ୍ଡିଆ କୋଠା ନିକଟରେ ତଥା ବିଟି ଲେନ୍‌କୁ ଯୋଡୁଥିବା ପାଦଚଲା ରାସ୍ତା ଭୁଶୁଡ଼ି ପଡ଼ିଛି। ଏଥି ପାଇଁ ଏବେ ଯିବା-ଆସିବା ପ୍ରଭାବିତ ହୋଇଛି। ଯାତ୍ରୀମାନେ ଅନ୍ୟ ରାସ୍ତା ଦେଇ ଚଳପ୍ରଚଳ କରୁଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବ୍ରିଜ ବମ୍ବେ ମୁନିସିପାଲ କର୍ପୋରେସନର ଥିଲା। ଆମେ ପୀଡ଼ିତଙ୍କୁ ସଂପୂର୍ଣ୍ଣ ରୂପେ ସହଯୋଗ କରିବାକୁ ପ୍ରସ୍ତୁତ। ରେଳବାଇର ଡାକ୍ତର ଏବଂ କର୍ମଚାରୀମାନେ ବିଏମ୍‌ସିର ଉଦ୍ଧାର କାମରେ ଲାଗିଛନ୍ତି।

 

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଟୁଇଟ୍‌ କରି କହିଛନ୍ତି, ମୁମ୍ବାଇରେ ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଖବର ଶୁଣି ଯନ୍ତ୍ରଣା ଅନୁଭବ କରୁଛି। ମୁଁ ବିଏମ୍‌ସି କମିସନର ଏବଂ ମୁମ୍ବାଇ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛି। ରେଳ ମନ୍ତ୍ରାଳୟକୁ ମଧ୍ୟ ଘଟଣା ସଂପର୍କରେ ଅବଗତ କରାଇଛି।

ଦୁର୍ଘଟଣା ପରେ ସୂଚନା ପାଇଁ ରେଳବାଇ ପୁଲିସ, ସ୍ଥାନୀୟ ପ୍ରଶାସନ ଓ ଏନ୍‌ଡିଆରଏଫ୍‌ର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଦୁର୍ଘଟଣା ଘଟିବା ପରେ ଫୁଟ ଓଭରବ୍ରିଜର ୬୦ ପ୍ରତିଶତ ଅଂଶ କ୍ଷତିଗ୍ରସ୍ତ ହେବା ସହିତ ସଡ଼କରେ ଥିବା କିଛି ଗାଡ଼ି ବି ଏହି ପୋଲ ତଳେ ଚାପି ହୋଇ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର