ଟ୍ରେନ୍‌ ଚାପାରେ ନିହତ ଭିକାରି ପାଖରେ ଥିଲା ୮. ୭୭ ଲକ୍ଷ ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ ଓ ୧. ୭ ଲକ୍ଷ ଟଙ୍କାର କଏନ୍‌

ମୁମ୍ବାଇ: ବିରାଦିଚାନ୍ଦ୍‌ ପନ୍ନାରାମ୍‌ଜି ଆଜାଦ୍‌ ନାମକ ଜଣେ ଭିକାରିର ଥିଲା ୮. ୭୭ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌, ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା ହୋଇଥିଲା ୯୬୦୦୦ ଟଙ୍କାର କଏନ୍‌ ଏବଂ ଗୋବନ୍ଦି ଠାରେ ଥିବା କୁଡ଼ିଆରେ ଥିଲା ୧. ୭୫ ଲକ୍ଷ ଟଙ୍କାର କଏନ୍‌।

ଶୁକ୍ରବାର ଦିନ ମନଖୁର୍ଦ ଏବଂ ଗୋବନ୍ଦି ଷ୍ଟେସନ୍‌ ମଝିରେ ଟ୍ରେନ୍‌ ଚାପାରେ ମୃତ୍ୟୁ ହୋଇଛି ବୋଲି କୁହାଯାଉଥିବା ଏଇ ୮୨ ବର୍ଷିୟ ଭିକାରିର ପରିବାର ଠାବ କରିବାକୁ ଉଦ୍ୟମ କରିବା ବେଳେ ବାଶି ସରକାରୀ ରେଳବାଇ ପୁଲିସ (ଜିଆର୍‌ପି) ଏତକ ଟଙ୍କାର ସନ୍ଧାନ ପାଇଛି।

ରେଳଧାରଣାରୁ ତାଙ୍କ ଶବ ଉଦ୍ଧାର କରାଯିବା ପରେ ରାଜସ୍ଥାନରେ ବାସ କରୁଥିବା ଆଜାଦ୍‌ର ପୁଅ ସହ ଯୋଗାଯୋଗ କରିବା ଉଦ୍ୟମ ଚଳାଇଛି ଜିଆର୍‌ପି। ପ୍ରଥମେ ଜିଆର୍‌ପି ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରେଜିଷ୍ଟ୍ରି କରିଥିଲା। ପରେ ସ୍ଥାନୀୟ ଲୋକେ ମୃତବ୍ୟକ୍ତିଜଣକ ହାର୍‌ବର୍‌ ଲାଇନ୍‌ରେ ଯାତାୟାତ କରୁଥିବା ଟ୍ରେନ୍‌ଗୁଡ଼ିକରେ ଭିକ୍ଷା କରୁଥିବା ଆଜାଦ୍‌ ବୋଲି ଚିହ୍ନଟ କରିଥିଲେ।

ମୃତବ୍ୟକ୍ତି ସମ୍ବନ୍ଧରେ ଅଧିକ ତଦନ୍ତ କରିବାରୁ ରେଳଧାରଣା ନିକଟରେ ଥିବା ତା’ର କୁଡ଼ିଆ ଥିବା ଜଣାପଡ଼ିଥିଲା। ଜଣେ ପଡ଼ୋଶୀ ପୁଲିସକୁ କହିଥିଲେ କି, ଆଜାଦ୍‌ର କେହି ଆତ୍ମୀୟ ନାହାନ୍ତି ଓ ସେ ଏକାକୀ ରହୁଥିଲା। ଆଜାଦ୍‌ଙ୍କ ପରିବାର ବିଷୟରେ ଜାଣିବାକୁ ପୁଲିସ ସେ କୁଡ଼ିଆ ତଲାସ କରିବାକୁ ସ୍ଥିର କରିଥିଲା।

ସେଠାରୁ ପୁଲିସ ପାଇଲା ଚାରିଟି ବଡ଼ ଡବା ଏବଂ ଗୋଟାଏ ବାରେଲ୍‌। ୧ଟଙ୍କିଆ, ୨ଟଙ୍କିଆ, ୫ଟଙ୍କିଆ ଏବଂ ୧୦ ଟଙ୍କିଆ ମୁଦ୍ରାଗୁଡ଼ିକୁ ପ୍ଲାଷ୍ଟିକ୍‌ ପାଉଚ୍‌ରେ ପୂରାଇ ସେଗୁଡ଼ିକୁ ସେ ଏହି ଡବାଗୁଡ଼ିକରେ ଲୁଚାଇ ଥିଲା।

ଶନିବାର ଅପରାହ୍ଣରେ ପୁଲିସ ସେ ମୁଦ୍ରା ଗଣନା ଆରମ୍ଭ କରି ରବିବାର ଦିନ ଶେଷ କଲା। କୁଡ଼ିଆର ଗୋଟାଏ କଣକୁ ଥିବା ଷ୍ଟିଲ୍‌ ଡବାରୁ ପୁଲିସ ଆଜାଦ୍‌ର ପାନ୍‌ କାର୍ଡ, ଆଧାର କାର୍ଡ, ବରିଷ୍ଠ ନାଗରିକ କାର୍ଡ ପାଇଥିଲା। ଏହାଛଡ଼ା ସେଥିରେ ଥିଲା ଫିକ୍ସଡ୍‌ ଡିପୋଜିଟ୍‌ ରସିଦ ଏବଂ ବ୍ୟାଙ୍କ୍‌ ଜମାଖାତା ଆଦି ଥିଲା। କାଗଜପତ୍ର ଅନୁସାରେ ଆଜାଦ୍‌ର ଜନ୍ମ ୧୯୩୭ ମସିହା ଫେବ୍ରୁଆରି ୨୭ ତାରିଖ ଦିନ।

ସେ ରାଜସ୍ଥାନର ରାମଗଡ଼ରୁ ଆସିଥିଲା ଏବଂ ତା’ର ପୁଅ ଶୁକଦେବ ହିଁ ତା’ ବ୍ୟାଙ୍କ୍‌ ଆକାଉଣ୍ଟ୍‌ର ନୋମିନି।

ସମ୍ବନ୍ଧିତ ଖବର