ସିଏଏ ବିରୋଧରେ କଥା ହେଉଥିବା ଯାତ୍ରୀଙ୍କୁ ତାଙ୍କ ଗନ୍ତବ୍ୟକୁ ନ ନେଇ ପୁଲିସ୍‌ ଷ୍ଟେସନ୍‌କୁ ନେଇ ଯାଇଥିବା କ୍ୟାବ୍‌ ଚାଳକ ସମ୍ମାନିତ

ମୁମ୍ବାଇ: ମୁମ୍ବାଇର ଜଣେ ବ୍ୟକ୍ତି ଉବେର ଟ୍ୟାକ୍ସି ଭଡାକରି ସେଥିରେ ବସି ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ କଥା ହୋଇ ଆନ୍ଦେଳନ ଯୋଜନା କରୁଥିବା ଶୁଣି ଗାଡ଼ି ଚାଳକ ଜଣକ ତାଙ୍କୁ  ଗନ୍ତବ୍ୟକୁ ନେବା ବଦଳରେ ପୁଲିସ୍‌ ଷ୍ଟେସନ୍‌ ପହଞ୍ଚାଇଥିଲେ । ଗତକାଲି ଏହି ଖବର ବେଶ ଚର୍ଚ୍ଚିତ ହୋଇଥିଲା।  ଉବେର ଚାଳକଙ୍କର ଏପରି ସାହସିକତା ହେତୁ ତାଙ୍କୁ ଶନିବାର ମୁମ୍ବାଇ ବିଜେପିି ମୁଖ୍ୟ ଏମ୍‌ପି ଲୋଧା ସମ୍ମାନିତ କରିଛନ୍ତି। ଉବେର ଚାଳକଙ୍କ ନାମ ରୋହିତ ଗୌର। ତାଙ୍କୁ ଦଳ ପକ୍ଷରୁ  ‘ଆଲର୍ଟ ସିଟିଜନ୍ ଆୱାର୍ଡ’ ବା ସଚେତନ ନାଗରିକ ପୁରସ୍କାର ପ୍ରଦାନ କରାଯାଇଛି।

ରୋହିତଙ୍କୁ ସମ୍ମାନିତ କରିବା ପରେ ଲୋଧା ଟ୍ବିଟ୍‌ କରି ଲେଖିଛନ୍ତି, ‘ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ଆନ୍ଦୋଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ ହାତରେ ଧରାଇ ଦେଇଥିବା କାରଣରୁ ମୁଁ ଆଜି ଉବେର ଚାଳକ ରୋହିତ ଗୌରଙ୍କୁ ସମ୍ମାନିତ କଲି। ରୋହିତଙ୍କୁ ମୁଁ ମୁମ୍ବାଇବାସୀଙ୍କ ପକ୍ଷରୁ  ‘ଆଲର୍ଟ ସିଟିଜନ୍ ଆୱାର୍ଡ’ ପ୍ରଦାନ କଲି।’

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୫ ତାରିଖରେ ବାପାଦିତ୍ୟ ସରକାର ନାମକ ଜଣେ ବ୍ୟକ୍ତି ଏକ ଉବେର ଟ୍ୟାକ୍ସିରେ ଯାତ୍ରା କରୁଥିଲେ। ଉବେରରେ ଯାତ୍ରା କରିବା ସମୟରେ ସେ ସିଏଏକୁ ବିରୋଧ କରି ଆନ୍ଦେଳନ କରିବା ନେଇ କାହା ସହ ଫୋନ୍‌ରେ କଥା ହେଉଥିଲେ। ତାଙ୍କ କଥା ଶୁଣିବା ପରେ ଉବେର ଚାଳକ ରୋହିତ ତାଙ୍କୁ ତାଙ୍କ ଗନ୍ତବ୍ୟକୁ ନେବା ବଦଳରେ ସାନ୍ତାକ୍ରଜ୍‌ ପୁଲିସ୍‌ ଷ୍ଟେସନ୍‌କୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର