ମୁମ୍ବାଇ: ମୁମ୍ବାଇରେ ବୋମା ବିସ୍ଫୋରଣ ଧମକର ଧାରା ଥମିବାର ନାମ ନେଉନାହିଁ। ନିକଟରେ ବୋମା ବିସ୍ଫୋରଣର ଧମକ ଦେଇଥିବା ନେଇ ନୋଏଡାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ବେଳେ ପୁଣି ଥରେ ସମାନ ଧମକ ମିଳିଛି। ଏଥର ନାୟର ହସ୍ପିଟାଲ ଏବଂ ମୁମ୍ବାଇ ବିମାନବନ୍ଦରକୁ ବେମାରେ ଉଡ଼ାଇ ଦେବାର ଧମକ ମିଳିଛି।

Advertisment

ସୂଚନାଯୋଗ୍ୟ, ସେପ୍ଟେମ୍ବର ୬ତାରିଖ ବିଳମ୍ବିତ ରାତିରେ ନାୟାର ହସ୍ପିଟାଲ ଏବଂ ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାର ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା।

ନାୟାର ହସ୍ପିଟାଲର ଡିନ୍ ରାତି ପ୍ରାୟ ୧୧ଟା ସମୟରେ ଏକ ଧମକପୂର୍ଣ୍ଣ ମେଲ୍ ପାଇଥିଲେ, ଯାହା ପରେ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା। ସେହି ସମୟରେ, ବିମାନବନ୍ଦରର ଶୌଚାଳୟରେ ବୋମା ଥିବା ଦାବି କରାଯାଇଥିଲା।

ମେଲ୍ ପାଇବା ମାତ୍ରେ, ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା ଏବଂ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ସଙ୍ଗେସଙ୍ଗେ ତଦନ୍ତ ଆରମ୍ଭ କରିଥିବା ସତ୍ତ୍ବେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନଥିଲା। 

କେବଳ ଏତିକି ନୁହେଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ୍ ମିଳିଥିଲା। ମେଲରେ ଦାବି କରାଯାଇଥିଲା ଯେ ବିମାନବନ୍ଦର ଶୌଚାଳୟରେ ବୋମା ରଖାଯାଇଛି। ପୁଲିସ ଏବଂ ବମ୍ ସ୍କ୍ବାଡ୍ ତୁରନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କିଛି ମିଳି ନଥିଲା। ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା ଯେ ଧମକ ମିଥ୍ୟା ଥିଲା, କିନ୍ତୁ ସତର୍କତା ସ୍ୱରୂପ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।