କେଶ ପ୍ରତିରୋପଣ କରାଇବାର ୪୮ଘଣ୍ଟା ପରେ ମୃତ୍ୟୁବରଣ କଲେ ବ୍ୟବସାୟୀ

ମୁମ୍ବାଇ : ମୁମ୍ବାଇର ଜଣେ ବ୍ୟବସାୟୀ କେଶ ପ୍ରତିରୋପଣ କରିବାର ୪୮ଘଣ୍ଟା ପରେ ମୃତ୍ୟୁବରଣ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିରୋପଣରେ ବ୍ୟବହାର କରାଯାଇଥିବା ରାସାୟନିକ ଦ୍ରବ୍ୟ ମୃତ ବ୍ୟବସାୟୀଙ୍କ ଶରୀରରେ ପ୍ରତିକ୍ରିୟା କରିବାରୁ ଏପରି ହୋଇଥାଇ ପାରେ ବୋଲି ସନ୍ଦେହ କରୁଛନ୍ତିି ଡ଼ାକ୍ତର । କିନ୍ତୁ ଏ ପର୍ଯ୍ୟନ୍ତ ସଠିକ୍‌ କାରଣ ଜଣା ପଡ଼ି ପାରି ନାହିଁ । ମୃତ ବ୍ୟବସାୟୀ ମୁମ୍ବାଇର ସାକି ନାକାର ବାସିନ୍ଦା ବୋଲି ଜଣାପଡ଼ିଛି । ଗୁରୁବାର ସେ କେଶ ପ୍ରତିରୋପଣ କରିଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ହୋଇଛି।

oneindia.com

ସୂଚନା ମୁତାବକ, ମୁମ୍ବାଇର ସାକି ନାକାରେ ରହୁଥିବା ବ୍ୟବସାୟୀ ଶ୍ରବଣ କୁମାର ଗୁରୁବାର ଚିଞ୍ଚପୋକଲିର ଏକ ଘରୋଇ ଡ଼ାକ୍ତରଖାନାରେ କେଶ ପ୍ରତିରୋପଣ କରିଥିଲେ । ୫ଲକ୍ଷ ଟଙ୍କା ଖର୍ଚ୍ଚ କରି ୯୫୦୦ଟି କେଶ ପ୍ରତିରୋପଣ କରିଥିଲେ ଶ୍ରବଣ । ପ୍ରତିରୋପଣ ପରେ ଘରକୁ ଫେରିବାର କିଛି ସମୟ ମଧ୍ୟରେ ତାଙ୍କୁ ଅସୁବିଧା ଅନୁଭବ ହୋଇଥିଲା । ନିଶ୍ୱାସ ନେବାରେ ଅସୁବିଧା ହେବା ସହ ତଣ୍ଟି-ପାଟି ଶୁଖିବାକୁ ଲାଗିଥିଲା । ଯାହା ପରେ ସେ ତୁରନ୍ତ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ଡ଼ାକ୍ତର ପୂରା ମାମଲା ଶୁଣିବା ପରେ ଆଲର୍ଜି ହୋଇଥିବା ସନ୍ଦେହ କରି ଚିକିତ୍ସା ଆରମ୍ଭ କରଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବା ସହ ଶନିବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଏବେ ଆକସ୍ମିକ ମୃତ୍ୟୁର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର