ମୁମ୍ବାଇରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ କରୋନା ଭୁତାଣୁର ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିବା କଥା ବୃହତ୍ ମୁମ୍ବାଇ ମହାନଗର ନିଗମ (ବିଏମସି ) ପକ୍ଷରୁ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ତାହାକୁ ଖଣ୍ଡନ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ମୁମ୍ବାଇରେ ଚିହ୍ନଟ ହୋଇଥିବା ସଂଦିଗ୍ଧ ଆକ୍ରାନ୍ତ ପ୍ରକୃତରେ ଏକ୍ସଇ ଆକ୍ରାନ୍ତ ନୁହଁନ୍ତି । କାରଣ ତାଙ୍କର ଜିନୋମ ସିକ୍ବେନ୍ସିଂ କରାଯିବା ପରେ ସେଥିରେ ଏକ୍ସଇ ଭାରିଆଣ୍ଟ ନଥିବା ଜଣାପଡ଼ିଛି ବୋଲି ମନ୍ତ୍ରାଳୟ କହିଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିନସ୍ଥ ଇନସାକଗ୍ (କରୋନା ଭାଇରସ ଜିନୋମ ସିକ୍ବେନ୍ସିଂ ପାଇଁ ଗଠିତ ବିଶେଷଜ୍ଞ ଗୋଷ୍ଠୀ)ର ବିଶେଷଜ୍ଞମାନଙ୍କ ଦ୍ବାରା ସଂପୃକ୍ତ ମହିଳାଙ୍କ ନମୁନାରେ ଚିହ୍ନଟ ହୋଇଥିବା ଜିନୋମ ଚିତ୍ର ଏକ୍ସଇର ଜିନୋମ ଚିତ୍ର ସହ ମେଳ ଖାଉନାହିଁ ।

ସୂଚନାଯୋଗ୍ୟ ଯେ ଆଜି ବିଏମସି ପକ୍ଷରୁ କୁହାଯାଇଥିଲା ଯେ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଛି । ୫୦ ବର୍ଷୀୟ ଉକ୍ତ ମହିଳା ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ତେବେ ତାଙ୍କ ଶରୀରରେ କୌଣସି ଲକ୍ଷଣ ନାହିଁ ଓ ସେ ମଧ୍ୟ ଦୁଇଟି ଡୋଜ୍ ଟିକା ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବ୍ରିଟେନରେ ପ୍ରଥମକରି ଚିହ୍ନଟ ହୋଇଥିବା ଓମିକ୍ରନ ଏକ୍ସଇ ଓମିକ୍ରନର ଦୁଇଟି ଭାରିଆଣ୍ଟ-ବିଏ.୧ ଓ ବିଏ.୨ର ମିଶ୍ରଣରୁ ସୃଷ୍ଟି ହୋଇଛି । ବର୍ତ୍ତମାନେ ସମଗ୍ର ବିଶ୍ବରେ ଅଳ୍ପ କେତୋଟି ଏକ୍ସଇ ମାମଲା ଦେଖାଦେଇଛି । ତେବେ ଏହା ଓମିକ୍ରନର ସବୁ ଭାରିଆଣ୍ଟ ତୁଳନାରେ ସର୍ବାଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ।

ସମ୍ବନ୍ଧିତ ଖବର