ମୁମ୍ବାଇ: ବ୍ଲାକ୍ମେଲ୍ ପରେ ଗଲା ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜୀବନ। ମୁମ୍ବାଇରେ ଗତ କିଛି ମାସ ମଧ୍ୟରେ ତିନି କୋଟି ଟଙ୍କାରୁ ଅଧିକ ଟଙ୍କା ଦେବାକୁ ବ୍ଲାକମେଲ୍ କରାଯିବା ପରେ ମାନସିକ ଚାପ ସମ୍ଭାଳି ନପାରି ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି ୩୨ ବର୍ଷୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍।
ଅଧିକାରୀମାନଙ୍କ କହିବାନୁଯାୟୀ, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ରାଜ ଲୀଲା ମୋରେ ବିଷ ପିଇ ଜୀବନ ହାରିବା ସହିତ ଏକ ତିନି ପୃଷ୍ଠାର ସୁଇସାଇଡ ନୋଟ୍ ଛାଡି ଯାଇଛନ୍ତି। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ଦୁଇ ଜଣ ବ୍ୟକ୍ତି ଦାୟୀ ବୋଲି ଉଲ୍ଲେଖ କରାଯାଇଛି। ସେମାନେ ରାଜ ଲୀଲା ମୋରେଙ୍କ ବ୍ୟକ୍ତିଗତ ଭିଡିଓ ପ୍ରଘଟ କରିଦେବେ ବୋଲି ଧମକ ଦେଇ ବ୍ଲାକ୍ମେଲ୍ କରୁଥିବା ନୋଟ୍ରେ ଉଲ୍ଲେଖ କରାଯାଇଛି।
ନୋଟରେ ଉଲ୍ଲେଖ ଅଛି ଯେ ରାହୁଲ ପରୱାନି ଏବଂ ସବା କୁରେଶୀ ତାଙ୍କ ଭିଡିଓ ଲିକ୍ କରିବାକୁ ଧମକ ଦେଇ ଗତ ୧୮ ମାସରେ ମୋରେଙ୍କଠାରୁ କୋଟି କୋଟି ଟଙ୍କା ନେଇ ସାରିଲେଣି। ଅଧିକାରୀମାନେ ଆହୁରି ବି କହିଛନ୍ତି ଯେ ଅଭିଯୁକ୍ତମାନେ ମୋରେଙ୍କ ଷ୍ଟକ୍ ବଜାରରେ ବିପୁଳ ନିବେଶ ଏବଂ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବରେ ତାଙ୍କର ଉଚ୍ଚ ଦରମା ପ୍ରାପ୍ତ ଚାକିରି ବିଷୟରେ ଅବଗତ ଥିଲେ। ସେଥିପାଇଁ ଧମକ ସହିତ ସେମାନେ ମୋରେଙ୍କୁ ତାଙ୍କ କମ୍ପାନି ଆକାଉଣ୍ଟରୁ ବିପୁଳ ପରିମାଣର ଟଙ୍କା ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ମଧ୍ୟ କରିଥିଲେ।
ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ଅଭିଯୁକ୍ତ ତାଙ୍କଠାରୁ ଜୋରଜବରଦସ୍ତ ଏକ ବିଳାସପୂର୍ଣ୍ଣ କାର ମଧ୍ୟ ନେଇଯାଇଥିଲେ। ମୋରେଙ୍କ ମାଆ ପୁଲିସକୁ କହିଛନ୍ତି ଯେ ତାଙ୍କ ପୁଅ ଗତ କିଛି ମାସ ଧରି ଅତ୍ୟନ୍ତ ମାନସିକ ଚାପରେ ଥିଲା।
କର୍ତ୍ତୃପକ୍ଷ ମୋରେଙ୍କ ରୁମ୍ରୁ ଏକ ତିନି ପୃଷ୍ଠାର ସୁଇସାଇଡ ନୋଟ୍ ଉଦ୍ଧାର କରିଛନ୍ତି, ଯାହା ମଧ୍ୟରୁ ଗୋଟିଏ ତାଙ୍କ ମାଆଙ୍କୁ ଉତ୍ସର୍ଗ କରାଯାଇଥିଲା। ନୋଟରେ ସେ କ୍ଷମା ମାଗିଛନ୍ତି ଏବଂ ତାଙ୍କ ପରିବାରକୁ ନିଜର ଯତ୍ନ ନେବାକୁ କହିଛନ୍ତି। ଦ୍ୱିତୀୟ ନୋଟ୍ ମୋରେ ତାଙ୍କ ସହକର୍ମୀଙ୍କୁ ଲେଖି ସେହି ଠକେଇ ମାମଲା ସହ ଜଡ଼ିତ କିଛି ଘଟଣା ପାଇଁ କ୍ଷମା ମାଗିଥିଲେ। ତୃତୀୟ ନୋଟ୍ରେ ତାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ, ସେମାନଙ୍କ ନାଁ ଉଲ୍ଲେଖ କରିଥିଲେ।