୧୯୩୨ ମସିହା ପରେ ପୁଣି ଥରେ ମୁମ୍ବାଇରେ ପାଟ୍ରୋଲିଙ୍ଗ୍‌ କରିବେ ଘୋଡ଼ାସବାର ପୁଲିସ

ମୁମ୍ବାଇ: ଯାନବାହନ ଏବଂ ଜନଗହଳି ନିୟନ୍ତ୍ରଣ ଲାଗି ୮୮ ବର୍ଷର ବ୍ୟବଧାନ ପରେ ପୁଣି ମୁମ୍ବାଇରେ ମୁତୟନ ହେବ ଘୋଡ଼ାସବାର ପୁଲିସ ୟୁନିଟ୍‌। ଏ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଅଂଶ ଗ୍ରହଣ କରିବା ପରେ ଉକ୍ତ ଘୋଡ଼ାମାନଙ୍କୁ ଡିୟୁଟିକୁ ଛଡ଼ାଯିବ ବୋଲି ରବିବାର ଦିନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେଶମୁଖ କହିଛନ୍ତି ରାସ୍ତାରେ ଯାନବାହନ ଯାତାୟାତ ବୃଦ୍ଧିପାଇବାରୁ ୧୯୩୨ ମସିହାରେ ଘୋଡ଼ାସବାର ପୁଲିସ ୟୁନିଟ୍‌କୁ ଭାଙ୍ଗି ଦିଆଯାଇଥିଲା।

ଆଜି ମୁମ୍ବାଇ ପୁଲିସ ପାଖରେ ଆଧୁନିକ ଜିପ୍‌ ଏବଂ ମଟରସାଇକେଲ୍‌ ଅଛି। କିନ୍ତୁ, ଜନଗହଳି ଭରା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ନିମନ୍ତେ ପାଟ୍ରୋଲିଙ୍ଗ୍‌ ଲାଗି ଘୋଡ଼ାସବାର ପୁଲିସ ୟୁନିଟ୍‌ ଫଳପ୍ରଦ ହେବ ବୋଲି ବିଚାର କରାଯାଉଛି। ସ୍ୱାଧୀନତା ପରେ ଏହା ହେବ ମୁମ୍ବାଇ ପୁଲିସର ପ୍ରଥମ ଘୋଡ଼ାସବାର ୟୁନିଟ୍‌।

Image Source: The Hindu

ପର୍ବପର୍ବାଣି ଏବଂ ରାଲି ସମୟରେ ଲୋକଭିଡ଼ ନିୟନ୍ତ୍ରଣ ନିମନ୍ତେ ଘୋଡ଼ାସବାର ୟୁନିଟ୍‌ ବ୍ୟବହାର କରାଯାଇ ପାରିବ। ବେଳାଭୂମିରେ ଘୋଡ଼ାସବାର ପୁଲିସମାନେ ଯଥେଷ୍ଟ ଉଚ୍ଚରେ ଥାଇ ଚାରିଆଡ଼େ ନଜର ରଖି ପାରିବେ। ଜଣେ ଘୋଡ଼ାସବାର ପୁଲିସ ଭୂଇଁରେ ଥିବା ୩୦ ଜଣ ପୁଲିସ କର୍ମଚାରୀଙ୍କ ସମକକ୍ଷ।

ସେ ଆହୁରି କହିଛନ୍ତି ଯେ ପୁଣେ ଏବଂ ନାଗପୁର ଭଳି ସହରରେ ମଧ୍ୟ ଏହି ପ୍ରକାର ଘୋଡ଼ାସବାର ପୁଲିସ ୟୁନିଟ୍‌ ମୁତୟନ କରାଯାଇ ପାରିବ।
ପରବର୍ତ୍ତୀ ୬ ମାସ ମଧ୍ୟରେ ଏହି ୟୁନିଟ୍‌ରେ ଥିବେ ଜଣେ ସବ୍‌-ଇନ୍‌ପେକ୍ଟର୍‌, ଜଣେ ସହକାରୀ ପିଏସ୍‌ଆଇ, ଚାରିଜଣ ହାବିଲଦାର,  ୩୨ ଜଣ କନେଷ୍ଟବଳ ଏବଂ ୩୦ଟି ଘୋଡ଼ା।

ସମ୍ବନ୍ଧିତ ଖବର