ଆପତ୍ତିଜନକ ଟୁଇଟ୍‌ ଲାଗି କଙ୍ଗନା ଏବଂ ଭଉଣୀ ରଙ୍ଗୋଲୀଙ୍କ ନାଁରେ ‘ଏଫ୍‌ଆଇଆର୍‌’ କରିବା ପାଇଁ ପୁଲିସକୁ ମୁମ୍ବାଇ କୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ଆପତ୍ତିଜନକ ଟୁଇଟ୍‌ ଲାଗି ଅଭିନେତ୍ରୀ କଙ୍ଗନା ରଣାୱତ୍ ଏବଂ ଭଉଣୀ ରଙ୍ଗୋଲୀ ଚନ୍ଦେଲ୍‌ଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଦାୟର‌ କରିବା ନିମନ୍ତେ ଆଜି ବାନ୍ଦ୍ରା ମାଜିଷ୍ଟ୍ରେଟ୍‌ ମେଟ୍ରୋପଲିଟାନ୍‌ କୋର୍ଟ ପୁଲିସକୁ ଆଦେଶ ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ ଯୋଗେ ସେମାନେ ସମ୍ପ୍ରଦାୟଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ‌‘କାଷ୍ଟିଙ୍ଗ୍ ଡାଇରେକ୍ଟର୍‌’ ଏବଂ ‘ଫିଟ୍‌ନେସ୍‌ ଟ୍ରେନର୍‌’ ମୁନ୍ନା ୱାରାଲି ଓରଫ୍ ସାହିଲ୍‌ ଅସ୍‌ରଫ୍‌ଅଲି ସୟେଦ ଅଭିଯୋଗ ଦାଏର କରିଥିଲେ। ଅଭିଯୋଗରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇ ଭଉଣୀ ବଲିଉଡ୍‌ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନାଁରେ ଅରୁଚିକର ମନ୍ତବ୍ୟ ଟୁଇଟ୍‌ କରୁଛନ୍ତି। ଏହାଛଡ଼ା, ଦୁହେଁ ଗଣମାଧ୍ୟମ ବିଷୟରେ ବି ଅନେକ କଥା କହୁଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏ ସଂକ୍ରାନ୍ତରେ ସେ ବାନ୍ଦ୍ରା ଥାନାରେ ଅଭିଯୋଗ ଦାଏର କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ପୁଲିସ ତାହା ରେଜିଷ୍ଟ୍ରି କଲା ନାହିଁ। ତେଣୁ, ଓକିଲଙ୍କ ପରାମର୍ଶକ୍ରମେ ସେ ବାନ୍ଦ୍ରା ଅଦାଲତର ଆଶ୍ରୟ ନେଲେ।

Image Courtesy of Hindustan Times

ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍‌ ଜୟଦେଓ ୱାଇ ଘୁଲେ ତାଙ୍କ ଆଦେଶରେ କହିଛନ୍ତି, ଆବେଦନ ଓ ଦାଖଲ କରାଯାଇଥିବା ଅନ୍ୟାନ୍ୟ କାଗଜପତ୍ରର ପ୍ରାଥମିକ ଅଧ୍ୟୟନରୁ ଜାଣିଲି, ଅଭିଯୁକ୍ତମାନେ ଧର୍ତ୍ତବ୍ୟ ଅପରାଧ କରିଛନ୍ତି। ସମୁଦାୟ ଅଭିଯୋଗ ଟୁଇଟର୍‌ ଏବଂ ସାକ୍ଷାତ୍‌କାରଭିତ୍ତିକ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ଆଧାରିତ। ଅଭିଯୁକ୍ତ ‘ଟୁଇଟର୍‌’ ଭଳି ସାମାଜିକ ଗଣମାଧ୍ୟମ ବ୍ୟବହାର କରିଛନ୍ତି। ବିଶେଷଜ୍ଞମାନଙ୍କଦ୍ବାରା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ।

ଏହାପରେ ଅଦାଲତ ପୁଲିସକୁ ନିର୍ଦେଶ ଦେଇ କହିଲେ ଯେ, ‘କ୍ରିମିନାଲ୍‌ ପ୍ରୋସିଜ୍ୟୁଓର୍‌ କୋଡ୍‌’ରେ ଥିବା ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଅଭିନେତ୍ରୀ ଏବଂ ତାଙ୍କ ଭଉଣୀଙ୍କ ବିପକ୍ଷରେ ତଦନ୍ତ ଆରମ୍ଭ କରାଯାଉ।

ସମ୍ବନ୍ଧିତ ଖବର