ମାତ୍ର ୫ ମିନିଟ୍‌ ଉଡ଼ିବା ପାଇଁ ଇନ୍ଧନ ଥିବାବେଳେ ଲକ୍ଷ୍ନୌରେ ଅବତରଣ କଲା ମୁମ୍ବାଇ-ଦିଲ୍ଲୀ ଭିସ୍ତାରା ବିମାନ

ମୁମ୍ବାଇ: ସୋମବାର ସନ୍ଧ୍ୟାରେ ଖରାପ ପାଗ ଯୋଗୁଁ ଅବତରଣ କରି ନ ପାରି ଦିଲ୍ଲୀ ଆକାଶରେ ଏକ ଘଣ୍ଟାରୁ ଅଧିକ କାଳ ଚକ୍କର୍‌ କାଟିବା ପରେ ମୁମ୍ବାଇରୁ ୧୫୩ ଜଣ ଯାତ୍ରୀ ନେଇ ଯାଇଥିବା ଗୋଟାଏ ଭିସ୍ତାରା ବିମାନ ସେଠାରୁ ଲକ୍ଷ୍ନୌ ଓ ଲକ୍ଷ୍ନୌରୁ ପ୍ରୟାଗରାଜ ଯାଇ ପୁଣି ଲକ୍ଷ୍ନୌକୁ ଫେରି ଅବରତଣ କରିଥିଲା। ସେତେବେଳକୁ ବିମାନରେ ଆଉ ମାତ୍ର ୫ ମିନିଟ୍‌ ଉଡ଼ାଣ ପାଇଁ ଇନ୍ଧନ ଥିବାରୁ ପାଇଲଟ୍‌ ‘ମେ ଡେ’ ଆଲର୍ଟ ବଜାଇଥିଲେ।

ଖରାପ ପାଗ ଯୋଗୁଁ କମ୍‌ ଦୃଶ୍ୟତା ଥିବାରୁ ଦିଲ୍ଲୀରେ ଅବତରଣ କରାଇ ନ ପାରି ପାଇଲଟ୍‌ ‘ୟୁକେ୯୪୪’ ବିମାନକୁ ଲକ୍ଷ୍ନୌ ନେଇ ଯାଇଥିଲେ, କିନ୍ତୁ ସେଠାରେ ମଧ୍ୟ ହଠାତ୍‌ ଦୃଶ୍ୟତା କମିଯିବାରୁ ନିରାପଦ ଅବତରଣ ସମ୍ଭବ ହୋଇ ନ ଥିଲା। ନିକଟବର୍ତ୍ତୀ ବିକଳ୍ପ ବନ୍ଦର ଭାବେ କାନପୁର ଓ ପ୍ରୟାଗରାଜ କଥା ବିଚାର କରି ବିମାନ ପରିଚାରକମାନେ ପ୍ରୟାଗରାଜ ଅଭିମୁଖେ ବିମାନ ନେବାକୁ ସ୍ଥିର କରିଥିଲେ ବୋଲି ଭିସ୍ତାରାର ଜଣେ ମୁଖପାତ୍ର କହିଛନ୍ତି।

Image Source: Times of India

ପ୍ରୟାଗରାଜ ଯିବା ବାଟରେ ଲକ୍ଷ୍ନୌ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ସୂଚନା ଦେଲେ ଯେ ଲକ୍ଷ୍ନୌର ପାଗରେ ଉନ୍ନତି ଦେଖା ଦେଲାଣି। ସେଠାରେ ଭଲ ସୁବିଧା ଥିବାରୁ କ୍ରୁ’ମାନେ ଲକ୍ଷ୍ନୌ ଫେରିଯିବାକୁ ଠିକ୍‌ କଲେ।

ଅପରାହ୍ଣ ୩: ୩୦ରେ ମୁମ୍ବାଇରୁ ୧୫୩ ଜଣ ଯାତ୍ରୀଙ୍କୁ ଧରି ବିମାନଟି ଉଡ଼ାଣ ଆରମ୍ଭ କରି ପ୍ରାୟ ସନ୍ଧ୍ୟା ୫ଟା ବେଳେ ଦିଲ୍ଲୀ ନିକଟବର୍ତ୍ତୀ ହୋଇଯାଇଥିଲା। ସନ୍ଧ୍ୟା ପ୍ରାୟ ୫: ୪୫ ମିନିଟ୍‌ରେ ବାଟ ଭାଙ୍ଗି ବିମାନଟି ଲକ୍ଷ୍ନୌ ଅଭିମୁଖେ ଏବଂ ପୁଣି ସେଠାରୁ ୫: ୪୫ରେ ପ୍ରୟାଗରାଜ ଆଡ଼କୁ ଯାଇଥିଲା। ସେଠାରୁ ଫେରି ସନ୍ଧ୍ୟା ୬: ୩୦ରେ ଲକ୍ଷ୍ନୌରେ ଅବତରଣ କରିଥିଲା। ପରେ ରାତି ପ୍ରାୟ ୧: ୦୦ ବେଳେ ସେ ବିମାନଟି ଯାଇ ଦିଲ୍ଲୀରେ ଅବତରଣ କରିଥିଲା।

ମୁମ୍ବାଇରୁ ଆସିବା ବେଳେ ବିମାନରେ ଥିଲା ୮, ୫୦୦ କିଲୋ ଇନ୍ଧନ ଏବଂ ଲକ୍ଷ୍ନୌରେ ଅବତରଣ କରିବା ବେଳେ ଥିଲା ମାତ୍ର ୨୦୦ କିଲୋ ଅର୍ଥାତ୍‌ ମାତ୍ର ୫ ମିନିଟ୍‌ ଉଡ଼ାଣ ପାଇଁ।

ସମ୍ବନ୍ଧିତ ଖବର