ମୁମ୍ବାଇ : ମହାରାଷ୍ଟ୍ରର ପାଲଘର ରେଳ ଷ୍ଟେସନ ନିକଟରେ ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଏକ୍ସପ୍ରେସ୍ (୧୨୯୫୬)ରେ ଆରପିଏଫ କନେଷ୍ଟବଳ ଗୁଳି କରିଥିଲେ। ଏହି ଗୁଳିମାଡ଼ରେ ଆରପିଏଫର ଏଏସଆଇ ଓ ତିନିଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅଧୀନରେ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତ କନେଷ୍ଟବଳଙ୍କ ନାଁ ଚେତନ କୁମାର ସିଂହ। ଘର ଉତ୍ତରପ୍ରଦେଶର ହାଥରାସରେ। ଗୁଳିମାଡ଼ର ଶିକାର ହୋଇ ପ୍ରାଣ ହାରିଥିବା ଏଏସ୍ଆଇଙ୍କ ନାମ ଟିକାରାମ ମୀନା। ଚେତନର ସହକର୍ମୀ ଅମୟ ଆଚାର୍ଯ୍ୟ ଏହି ଗୁଳିକାଣ୍ଡ ଘଟଣାକୁ ନେଇ କହିଛନ୍ତି, ‘ରାତି ୨.୫୩ ମିନିଔରେ ଆମେ ଜୟପୁର ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଧରି ମୁମ୍ବାଇ ଯାତ୍ରା ଆରମ୍ଭ କରିଥିଲି। ଏଏସଆଇ ଟିକାରାମ ମିନା ଓ ଚେତନ ସିଂହଙ୍କ ଟିକେଟ ଏସି ବଗିରେ ହୋଇଥିଲା। ମୋର ଆଉ ଓ ହେଡ କନଷ୍ଟେବଳଙ୍କ ସ୍ଲିପରକୋଚରେ ଟିକେଟ ହୋଇଥିଲା।
ମୁଁ ଯେତେବେଳେ ରିପୋର୍ଟ ଦେବାକୁ ଯାଇଥିଲି ଚେତନ କହିଥିଲେ ତାଙ୍କୁ ଅସୁସ୍ଥ ଲାଗୁଛି, ତେଣୁ ସେ ବଲସାଡ ଷ୍ଟେସନରେ ଓହ୍ଲାଇଯିବେ। ଏହି ସମୟରେ ଏଏସଆଇ ଟିକାରାମ ମିନା କହିଥିଲେ ଆଉ ଦୁଇତିନି ଘଣ୍ଟାର ଡିୟୁଟି ରହିଛି। ଟ୍ରେନରେ ମୁମ୍ବାଇ ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ବିଶ୍ରାମ କରିଦିଅ। କିନ୍ତୁ ଚେତନ କିଛି ଶୁଣିବା ଅବସ୍ଥାରେ ନଥିଲେ। କିଛିସମୟ ବିଶ୍ରାମ କରି ସେ ରାଇଫଲ ଉଠାଇ ଆଖି ବୁଜା ଗୁଳି କରିଥିଲେ।
ଟ୍ରେନ୍ର ବି୫ ବଗିରେ ସେ ପ୍ରଥମେ ପାଣ୍ଟ୍ରି ଇନଚାର୍ଜ ଟିକାରାମ ମୀନାଙ୍କୁ ତାଙ୍କ ଏଆରଏମ୍ ରାଇଫଲ୍ରୁ ଗୁଳି କରିବାପରେ ଏସ୍୬ ବଗିରେ ୩ ଜଣ ଯାତ୍ରୀଙ୍କୁ ଗୁଳି କରି ମାରିଦେଇଥିଲେ। ସେ ମୋଟ୍ ୧୨ ରାଉଣ୍ଡ୍ ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ମୁଁ ଚେତନଙ୍କ ସେହି ଅବସ୍ଥା ଦେଖି ଘଟଣାସ୍ଥଳରୁ ଚାଲି ଆସିଥିଲି। ତେଣୁ ମୋ ଜୀବନ ବଞ୍ଚି ଯାଇଛି।