ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ, ଆଜି ସକାଳେ ଘଟଣାସ୍ଥଳରୁ ମିଳିଲା ୨ ଜଣଙ୍କର ମୃତଦେହ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଗତକାଲି ରାତିରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଏକ କାରଖାନାରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତାପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ତତକ୍ଷଣାତ୍ ୧୫ଟି ଗାଡ଼ି ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ନିଆଁ ଲିଭାଇବାକୁ ପ୍ରଚେଷ୍ଟା କରିଥିଲେ। ବହୁ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା ।

ଅଗ୍ନିକାଣ୍ଡ ସମୟରେ ଜଣେ ପୁରୁଷ ଓ ଜଣେ ମହିଳା ନିଖୋଜ ଥିବା ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀର କର୍ମଚାରୀମାନଙ୍କୁ କହିଥିଲେ । ଶନିବାର ସକାଳେ ଅବଶ୍ୟ ଉଭୟ ନିଖୋଜ ପୁରୁଷ ଓ ମହିଳାଙ୍କ ମୃତଦେହ ମିଳିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ କାରଖାନାରେ ନିଆଁ ଲାଗିବାର କାରଣ ଏଯାବତ୍ ଜଣାପଡ଼ି ନାହିଁ ।

ଏହି ଘଟଣା ସଂପର୍କରେ ମୁମ୍ବାଇ ଅଗ୍ନିଶମ ବିଭାଗର ଉପ ମୁଖ୍ୟ ଅଧିକାରୀ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ ସେଠାରେ ସଂପୂର୍ଣ୍ଣରୂପେ ନିଆଁ ଲିଭି ଯାଇଥିଲେ ବି ଏବେ ମଧ୍ୟ ଅଗ୍ନିଶମ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି। ଗତକାଲି ରାତିରେ ତାଙ୍କୁ ତିନିଜଣ ନିଖୋଜ ଥିବା ସୂଚନା ଦିଆଯାଇଥିଲା। କିନ୍ତୁ ଆଜି ସକାଳେ ନିଖୋଜ ଥିବା ଜଣେ ପୁରୁଷ ଓ ମହିଳାଙ୍କର ମୃତଦେହ ମିଳିଛି।

ସମ୍ବନ୍ଧିତ ଖବର