ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍ ରେଳଷ୍ଟେସନର ୧ ନଂ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଏକ ଫୁଟ୍ ଓଭରବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସେଣ୍ଟ୍ ଜର୍ଜ ହସ୍ପିଟାଲ୍ ଓ ଗୋକୁଳଦାସ ତେଜପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଗ୍ନାବଶେଷ ତଳେ ୧୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସୂଚନାନୁଯାୟୀ, ସ୍ଥାନୀୟ ଟାଇମସ ଅଫ୍ ଇଣ୍ଡିଆ କୋଠା ଏବଂ ଅଞ୍ଜୁମାନ ଇସଲାମ୍ କଲେଜ ପଟୁ ୧ ନମ୍ବର ପ୍ଲାଟଫର୍ମର ଉତ୍ତର ପଟକୁ ସଂଯୋଗ କରୁଥିବା ଏହି ଓଭରବ୍ରିଜର କିଛି ଅଂଶ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ଗଳିପଡ଼ିଥିଲା। ଘଟଣା ସମୟରେ ଏହା ତଳେ ବାଇକ୍ ଆରୋହୀମାନେ ମଧ୍ୟ ଚଳାଚଳ କରୁଥିଲେ। ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାର ସାମାନ୍ୟ ଆଗରୁ ପୂର୍ବ ଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାଲିବତୀ ସୂଚନା ଥିବାରୁ ସେହିବାଟେ ଗାଡ଼ିମୋଟର କମ୍ ଯାତାୟାତ କରୁଥିଲେ। ଫଳରେ ଅଳ୍ପକେ ଅନେକ ଯାତ୍ରୀ ବର୍ତ୍ତିଯାଇଛନ୍ତି। ଏହି ପୁରୁଣା ଓଭରବ୍ରିଜଟିର ଅବସ୍ଥା ସେତେ ଦୁର୍ବଳ ନଥିଲା, ତେବେ ଏହାର ସ୍ଥାନେ ସ୍ଥାନେ ମରାମତି କାର୍ଯ୍ୟ ଚାଲୁ ରହିଥିଲା। ଅପରପକ୍ଷେ, ସମ୍ପୂର୍ଣ୍ଣ ମରାମତି ନ ସରିବା ଯାଏ ଏହାକୁ ଯାତ୍ରୀଙ୍କ ପାଇଁ କାହିଁକି ବନ୍ଦ କରାଯାଇନଥିଲା ବୋଲି ମହାରାଷ୍ଟ୍ରର ବରିଷ୍ଠ ମନ୍ତ୍ରୀ ବିନୋଦ ତାଵଡ଼େ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିବା ସହ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ କରିଛନ୍ତି।
ପୁଣି ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ୍
୬ ମୃତ, ୩୦ରୁ ଅଧିକ ଆହତ
/sambad/media/post_attachments/wp-content/uploads/2019/03/11-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)