ନୂଆଦିଲ୍ଲୀ: ଜନୈକ ବ୍ୟକ୍ତିଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ଉତ୍କୋଚ ଦାବି କରି ପ୍ରଥମ କିସ୍ତିରେ ୫ ଲକ୍ଷ ଟଙ୍କାର ଉତ୍କୋଚ ନେଉଥିବା ବେଳେ ମୁମ୍ବାଇ କଷ୍ଟମସ୍‌ ବିଭାଗର ୪ ଜଣ ଡେପୁଟି କମିଶନରଙ୍କ ସମେତ ୬ ଜଣଙ୍କୁ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଧିକାରୀମାନେ ଗିରଫ କରିଛନ୍ତି। ସିବିଆଇ ହାତରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୁମ୍ବାଇ କଷ୍ଟମସ୍‌ ବିଭାଗର ଡେପୁଟି କମିଶନର ମୁକେଶ ମୀନା, ଡେପୁଟି କମିଶନର ରାଜୀବ କୁମାର ସିଂହ, ଡେପୁଟି କମିଶନର ସୁଦର୍ଶନ ମୀନା, ଡେପୁଟି କମିଶନର ସନ୍ଦୀପ ଯାଦବ, ସୁପରିିଣ୍ଟେଣ୍ଡେଣ୍ଟ ମନିଷ ସିଂହ ଏବଂ ଅନ୍ୟ ଜଣେ ସାଧାରଣ ବ୍ୟକ୍ତି ନୀଲେଶ ସିଂହ।

Advertisment


ସିବିଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମୁମ୍ବାଇ କଷ୍ଟମସ୍‌ ବିଭାଗର ସଂପୃକ୍ତ ଅଧିକରୀମାନେ ଜନୈକ ବ୍ୟକ୍ତିଙ୍କୁ ଏକ କନ୍‌ସାଇନ୍‌ମେଣ୍ଟର କ୍ଲିୟରାନ୍ସ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ଉତ୍କୋଚ ଦାବି କରିଥିଲେ। ତେବେ, ସଂପୃକ୍ତ ବ୍ୟକ୍ତି ଜଣକ ଏହି ଘଟଣା ସଂପର୍କରେ ସିବିଆଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ, ଉତ୍କୋଚ ଦାବି କରିଥିବା ମୁମ୍ବାଇ କଷ୍ଟମସ୍‌ ବିଭାଗର ସଂପୃକ୍ତ ଅଧିକରୀମାନଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯିବା ସହ ଏକ ଜାଲ ବିଛା ଯାଇଥିଲା। ଯୋଜନା ମୁତାବକ ସଂପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କର କନ୍‌ସାଇନ୍‌ମେଣ୍ଟର କ୍ଲିୟରାନ୍ସ ସାର୍ଟିଫିକେଟ ପାଇବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ପ୍ରଥମ କିସ୍ତିରେ ଆଜି ୫ ଲକ୍ଷ ଟଙ୍କା ପ୍ରଦାନ କରୁଥିବା ବେଳେ ସିବିଆଇ ଅଧିକାରୀମାନେ ଏମାନଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ଉତ୍କୋଚ ଟଙ୍କାକୁ ମଧ୍ୟ ଜବତ କରିଥିଲେ। ଏସଂପର୍କରେ ସିବିଆଇର ତଦନ୍ତ ଜାରି ରହିଥିବା ଜାଣିବାକୁ ମିଳିଛି।