ମୁମ୍ବାଇରେ ବିଳମ୍ବିତ ରାତିରେ ଭୁଶୁଡିଲା ୪ମହଲା କୋଠା: ଚାଲିଗଲା ୧୧ଜଣଙ୍କ ଜୀବନ, ୨୩ ଉଦ୍ଧାର

ମୁମ୍ବାଇ: ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ୪ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ିଥିଲା। ଏନେଇ ଖବର ମିଳିବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। କୋଠା ଭୁଶୁଡିବା ପରେ ସମସ୍ତେ ସେହି କୋଠାର ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିବା ବେଳେ ଏବେ ବି ଅନେକ ଫସି ରହିଥିବା କୁହାଯାଉଛି। ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଏବଂ ଅନ୍ୟମାନେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସହ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ଯେ କୁର୍ଲାର ନାୟକ ମ୍ୟୁନିସିପାଲିଟି ସୋସାଇଟିରେ ଅବସ୍ଥିତ ଆବାସିକ କୋଠାର ଏକ ‘ୱିଙ୍ଗ’ ସୋମବାର ବିଳମ୍ବିତ ରାତିରେ ଭୁଶୁଡି ପଡିଥିଲା। ଗୋଟିଏ ୱିଙ୍ଗ ଭୁଶୁଡିବା ପରେ ଏହା ନିକଟରେ ଅବସ୍ଥିତ ଦ୍ୱିତୀୟ ‘ୱିଙ୍ଗ୍’ ମଧ୍ୟ ଭୁଶୁଡିପାରେ ବୋଲି କୁହାଯାଉଛି।

ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କମିଶନର ଇକବାଲ ସିଂ ଚହଲ କହିଛନ୍ତି ଯେ ସାମାନ୍ୟ ଭାବେ ଆହତ ହୋଇଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ଡିସଚାର୍ଜ କରାଯାଇଥିବାବେଳେ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ଘାଟକୋପର ଏବଂ ସିଓନର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚହଲ କହିଛନ୍ତି ଯେ ମୁଁ ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫକୁ ସତର୍କ ରହି ଉଦ୍ଧାର କାର୍ଯ୍ୟ କରିବାକୁ କହିଛି।

ସମ୍ବନ୍ଧିତ ଖବର